୧୮ଲକ୍ଷ ଟଙ୍କାରେ ହାତୀଦାନ୍ତ ବିକ୍ରି ପାଇଁ ହୋଇଥିଲା ଡିଲ୍‌, ଗ୍ରାହକ ସାଜି ଧରିଲେ ବନ କର୍ମଚାରୀ

ବାରିପଦା ଅଫିସ/ଉଦଳା, ୨୪ା୨: ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ଅଙ୍ଗାରପଦାଠାରେ ହାତୀଦାନ୍ତ କାରବାର କରୁଥିବା ୨ ବେପାରୀଙ୍କୁ ବୁଧବାର ବନ ବିଭାଗ ଗିରଫ କରିଛି। ସେମାନଙ୍କଠାରୁ ୪୫ କିଲୋ ଓଜନର ୮ ଖଣ୍ଡ ଦାନ୍ତ ଜବତ କରାଯାଇଛି। ଅଭିଯୁକ୍ତମାନେ ଏହାକୁ ୧୮ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ଗ୍ରାହକ ସାଜି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତ ଦ୍ୱୟ ହେଲେ ଅଙ୍ଗାରପଦା ଗ୍ରାମର ଫାଗୁ ପ୍ରସାଦ ହାଁସଦା ଏବଂ ଉଦଳା ଥାନା ଅନନ୍ତପୁର ଗ୍ରାମର ପୀଥ ସୋରେନ। ଜବତ ଦାନ୍ତ ଏକ ବୟସ୍କ ହାତୀର ହୋଇଥିବା ଅନୁମାନ କରାଯାଉଛି। ପରୀକ୍ଷା ପାଇଁ ଏହାକୁ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ କହିଛନ୍ତି। ଉଦଳା ବନାଞ୍ଚଳ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଏକ ସ୍ପେଶାଲ୍‌ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ।
ଗତ ମାସ ୭ତାରିଖରେ କପ୍ତିପଦା ରେଞ୍ଜ ଶାରୀଶୁଆ ରାମକୁଣ୍ଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଉକ୍ତ ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଥିଲେ। ସେହି ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ ହୋଇଥିଲେ। ବୁଧବାର ଜବତ ହୋଇଥିବା ଦାନ୍ତ ସହ ଉକ୍ତ ମୃତ ହାତୀଦାନ୍ତର ସାମଞ୍ଜସ୍ୟ ଥିବା ଆଶଙ୍କା କରି ବନ ବିଭାଗ ତଦନ୍ତକୁ ଜୋରଦାର କରିଛି। ତେବେ ଅଭିଯୁକ୍ତ ଦ୍ୱୟ ଏକ ହାତୀକୁ ୪/୫ମାସ ପୂର୍ବେ ଶିକାର କରି ଦାନ୍ତ ବିକ୍ରିି କରିବାକୁ ଯୋଜନା କରିଥିଲେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁୁ ଶିକାର କରୁଥିବା ଶିକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି।

Share