ଆକାଶବାଣୀର ପୂର୍ବତନ ଘୋଷକ ବସନ୍ତ ପଟ୍ଟନାୟକଙ୍କ ପରଲୋକ

ଆଠଗଡ଼,୧୪।୧୦(ସ୍ବ.ପ୍ର.): ଆକାଶବାଣୀ ଖବର ପଢୁଛନ୍ତି ବସନ୍ତ ପଟ୍ଟନାୟକ। ସତୁରି ଦଶକର ଏହି ଗୁରୁଗମ୍ଭୀର କଣ୍ଠସ୍ବର ଆଜି ନିରବୀ ଯାଇଛି। ବସନ୍ତ ଆକାଶବାଣୀ ନୂଆଦିଲ୍ଲୀ ସମ୍ବାଦ ବିଭାଗର ଏକ ସ୍ପର୍ଦ୍ଧିତ ନାମ। ବୁଧବାର ତାଙ୍କର ୯୨ବର୍ଷ ବୟସରେ ଆଠଗଡ଼ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ପରିଣତ ବୟସରେ ଶଯ୍ୟାଶାୟୀ ହୋଇ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ଖବରକାଗଜ ପଢ଼ିବା, ଟିଭି ଦେଖି ଖବରଗୁଡ଼ିକର ବିଶ୍ଳେଷଣ କରିବା ତାଙ୍କର ନିତିଦିନିଆ କାର୍ଯ୍ୟ ଥିଲା। ୧୯୫୮ରୁ ୧୯୭୩ ପର୍ଯ୍ୟନ୍ତ ସେ ଆକାଶବାଣୀ ନୂଆଦିଲ୍ଲୀରୁ ଖବର ପାଠ କରୁଥିଲେ। ୧୯୭୧ରେ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ଦିଲ୍ଲୀ ରେଡ଼ିଓ ଷ୍ଟେଶନରେ ଡ୍ୟୁଟି ଅଫିସର ଭାବେ କାମ ତୁଲାଇଥିଲେ। ଖେଳକୁଦ, ଡ୍ରାମା, ଥିଏଟରରେ ରୁଚି ରଖୁଥିବା ବସନ୍ତ କେବେ ସାମ୍ବାଦିକ ହେବେ ବୋଲି ଭାବି ନ ଥିଲେ। ଉଚ୍ଚଶିକ୍ଷା ସମାପ୍ତ ପରେ କିଛିଦିନ ଟ୍ରାଫିକ ଇନ୍ସପେକ୍ଟର, ବାରବାଟୀ ଷ୍ଟାଡିୟମରେ ଥିବା ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ ତୁଲାଇଥିଲେ। ପରେ ଆକାଶବାଣୀରେ ସମ୍ବାଦ ପାଠକ ଭାବେ ଯୋଗ ଦେଇଥିଲେ। ଆଠଗଡ଼ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

Share