ଆଇ-କୋର୍‌ ଏମ୍‌ଡି ଅନୁକୁଲ ମାଇତିଙ୍କ ମୃତ୍ୟୁ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଝାରପଡ଼ା ଜେଲରେ ଥିବା ଆଇ-କୋର୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୁକୁଲ ମାଇତିଙ୍କ (୫୫) ରବିବାର ମୃତ୍ୟୁ ହୋଇଛି। ଜେଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସକାଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜେଲ ପକ୍ଷରୁ ଜଣାପଡ଼ିଛି।
୨୦୦୭ରେ ପଶ୍ଚିମବଙ୍ଗରେ ଆଇ-କୋର-ଇ-ସର୍ଭିସେସ୍‌ ଲିମିଟେଡ୍‌ ନାମକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ପରେ ୧୨ ରାଜ୍ୟରେ ଏହାର ଶାଖା ଖୋଲିଥିଲା। କୋଲକାତାର ବାସିନ୍ଦା ଅନୁକୁଲ ଓ ତାଙ୍କ ସ୍ତ୍ରୀ କନିକା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଥିଲେ। ଜମାକାରୀଙ୍କୁ ବର୍ଷକରେ ଦୁଇଗୁଣା କରିବାର ଲୋଭ ଦେଖାଇ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଜମାକରୀଙ୍କୁ ଟଙ୍କା ଫେରସ୍ତ କରିବା ବଦଳରେ ସଂସ୍ଥା ବନ୍ଦ ହୋଇଯାଇଥିଲା। ଠକେଇ ଅଭିଯୋଗ ପରେ ୨୦୧୭ରେ ସିବିଆଇ ଉଭୟଙ୍କୁ ଗିରଫ କରିବା ପରେ ଉଭୟେ ଝାରପଡ଼ା ଜେଲରେ ଥିଲେ। ସେହିବର୍ଷ ସ୍ତ୍ରୀ କନିକାଙ୍କ ଜାମିନ ମଞ୍ଜୁର ହୋଇଥିବାବେଳେ ଅନୁକୁଲଙ୍କୁ ଜାମିନ ମିଳି ନ ଥିଲା।

Share