ଭଣ୍ଡାରିପୋଖରୀ,୨୨ା୭(ଡି.ଏନ.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଜୁନିଅର କଲେଜ ଅଧ୍ୟକ୍ଷ ବିପିନ ବିହାରୀ ମହାପାତ୍ରଙ୍କର କୋଭିଡ୍ ହସ୍ପିଟାଲରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଅଧ୍ୟକ୍ଷ ମହାପାତ୍ର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ବାରିକପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଜ୍ୱର ନ ଛାଡିବାରୁ ଭଦ୍ରକ ଡାକ୍ତରଖାନାରେ ଦୁଇଦିନ ଚିକିତ୍ସିତ ହେଲେ। ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାର ଜେନେରାଲ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ପରୀକ୍ଷାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ କଲେଜ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଅଧ୍ୟକ୍ଷଙ୍କର କରୋନାରେ କିମ୍ବା ଅନ୍ୟ କୌଣସି ରୋଗରେ ମୃତ୍ୟୁ ଘଟିଛି ସେ ସମ୍ପର୍କରେ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।