ସମ୍ବଲପୁର,୧୨।୮(ବ୍ୟୁରୋ): ସମ୍ବଲପୁର ଜିଲାରେ ପ୍ରଥମ କରୋନା ଯୋଦ୍ଧା ରେଙ୍ଗାଲି ଥାନାର କନଷ୍ଟେବଳ ପେଟ୍ରସ ଟିଗା (୪୦)ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ସେ ହଠାତ୍ ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠାରେ କରୋନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ତୁରନ୍ତ ବୁର୍ଲା କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥଲା। ଅପରାହ୍ନରେ ରିଜର୍ଭ ପଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଜୟନାରାୟଣ ପଙ୍କଜ, ଜିଲାପାଳ ଶୁଭମ୍ ସକ୍ସେନା, ଏସ୍ପି କନୱର ବିଶାଳ ସିଂ, ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପେଟ୍ରସ ଅଗଷ୍ଟ ୭ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ ଚିକିତ୍ସା ପାଇଁ ଅଇଁଠାପାଲି ମେଡିକାଲକୁ ଆସିଥିଲେ। ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସେ ଘରେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ।