ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ ଚର୍ଚ୍ଚାରେ ରହୁଥିଲେ। ହୃଦ୍‌ଘାତରେ ଶ୍ରୀନଗରର ଏଲାହି ବାଗରେ ଜୁନାଦଙ୍କ ମୃତ୍ୟୁ ଘଟିଛି। ଏହି ସୂଚନା କାଶ୍ମୀରର ପ୍ରସିଦ୍ଧ ଖବରଦାତା ୟୁସୁଫ ଜୁନାଦ ପ୍ରଦାନ କରିଛନ୍ତି।

ୟୁସୁଫ ଜୁନାଦ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ କରି କହିଛନ୍ତି ଯେ, ଜୁନାଦ ଶାହା ଆଉ ଏହି ଦୁନିଆରେ ନାହାନ୍ତି। ସେ ତାଙ୍କ ଟୱିଟରେ ଲେଖିଛନ୍ତି, ‘ବିଳମ୍ବିତ ରାତିରେ ଆମ ପଡ଼ୋଶୀ ନିସର ଅହମ୍ମଦ ଶାହାଙ୍କ ପୁଅ ଜୁନାଦ ଶାହାଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଲୋକମାନେ ତାଙ୍କୁ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯାଉଥିବା କୁହନ୍ତି।

ରଣବୀର କପୁରଙ୍କ ଭଳି ଦେଖାଯାଉଥିବାରୁ ଜୁନାଦ ବେଶ ପ୍ରସିଦ୍ଧ ଥିଲେ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ଅଧିକ ଥିଲେ। ଜୁନାଦ ରଣବୀରଙ୍କ ଜୀବନଶୈଳୀକୁ ମଧ୍ୟ ଅନୁସରଣ କରୁଥିଲେ। ପ୍ରଶଂସକଙ୍କ ବ୍ୟତୀତ ରଣବୀର କପୁରଙ୍କ ପିତା ତଥା ଭେଟେରାନ ଅଭିନେତା ଋଷି କପୁର ମଧ୍ୟ ଜୁନାଦ ଶାହାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରଥେିଲେ।

୨୦୧୫ ରେ ଋଷି କପୁର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୁଅ ରଣବୀର ଏବଂ ଜୁନାଦଙ୍କ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ଜୁନାଦଙ୍କୁ ପ୍ରଶଂସା କରିଥିଲେ। ଟୁଇଟର ଲେଖିଥିଲେ, ‘ହେ ଭଗବାନ ମୋ ପୁଅର ଚେହେରା !!! ଏହାକୁ ବିଶ୍ୱାସ କରିହେବନି’।

୨୦୦୭ରେ ଯେତେବେଳେ ରଣବୀର ସାୱରିଆ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ, ଜୁନାଦ କଲେଜରେ ପଢ଼ୁଥିଲେ। ଏହି ଚଳଚ୍ଚିତ୍ର ପରେ ଲୋକମାନେ ଜୁନାଦଙ୍କୁ ରଣବୀର କପୁରଙ୍କ ଭଳି ଦେଖାଯାଉଥିବା କହିବା ଆରମ୍ଭ କଲେ। ଜୁନାଦ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ପାସ୍‌ କରିଥିଲେ। ଏହା ପରେ ସେ ମଡେଲିଂ ଆରମ୍ଭ କଲେ।

 

Share