୧୮ ହଜାର ମନ୍ଦିର ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଶ୍ରୀମନ୍ଦିର ସହ ରାଜ୍ୟରେ ଅନ୍ୟାନ୍ୟ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଗତ ସୋମବାର ନିଷ୍ପତ୍ତି ନିଆଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର। ତେବେ ମନ୍ଦିର ଖୋଲିବା ପାଇଁ କମିଶନ କେତେକ ନିୟମ ନିର୍ଦ୍ଧାରଣ କରିଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ କଡ଼ାକଡ଼ି ପାଳନ କରିବାକୁ ଉଲ୍ଲେଖ କରିଛନ୍ତି। ସେପଟେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାରେ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ସେ ନିଷ୍ପତ୍ତି ଜିଲାପାଳମାନେ ନେଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଦେବୋତ୍ତର କମିଶନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ। ମନ୍ଦିର ପରିସରକୁ ବାରମ୍ବାର ବିଶୋଧନ କରାଯିବା ସହ ମନ୍ଦିର ଦ୍ୱାର ସାନିଟାଇଜ୍‌ ହେବ। ସେହିଭଳି ମନ୍ଦିର ମଧ୍ୟକୁ ଏକକାଳୀନ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯିବ। ପୂଜାର୍ଚ୍ଚନା ନ କରି ଭକ୍ତମାନେ କେବଳ ଠାକୁରଙ୍କୁ ଦର୍ଶନ କରିପାରିବେ। ବାଡ଼ ପୂଜା କରିବାକୁ କମିଶନ ବାରଣ କରିଛନ୍ତି। ଏଥିସହ ମନ୍ଦିରରେ ପ୍ରବେଶ ପୂର୍ବରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କଟକଣାକୁ ମାନି ମନ୍ଦିର ଖୋଲାଯାଇ ପାରିବ ବୋଲି ଦେବୋତ୍ତର କମିଶନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। କଟକଣା ନ ମାନିଲେ ମନ୍ଦିର ଖୋଲିବ ନାହିଁ। ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାୟ ସୂଚନା ଦେଇଥିଲେ। ଏବେ ରାଜ୍ୟ ସରକାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ହାତରେ ରହିଛି। ଷ୍ଟେକ୍‌ ହୋଲ୍ଡରଙ୍କ ସହ ଆଲୋଚନା ଏବଂ ସ୍ବତନ୍ତ୍ର ଏସ୍‌ଓପି ଜାରି କରିବା ପରେ ମନ୍ଦିର ଖୋଲିବାକୁ ଜିଲାପାଳମାନେ ନିର୍ଦ୍ଦେଶ ଦେଇପାରିବେ। ବିଭିନ୍ନ ଜିଲାର ଧର୍ମପୀଠଗୁଡ଼ିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ତ୍ରିପାଠୀ ସୂଚନା ଦେଇଛନ୍ତି।
ସେପଟେ ଶ୍ରୀମନ୍ଦିର ଖୋଲିବା ପାଇଁ ମଧ୍ୟ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ମନ୍ଦିର ଖୋଲିବା ପରେ ଠାକୁର ଦର୍ଶନ ସମୟରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ପ୍ରାୟ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Share