ପୁରୀ ଅଫିସ, ୪।୮(ଡି.ଏନ୍.ଏ.):ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଉଥିବା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣା ଭିତରେ ସୋମବାର ଜିଲାର ପ୍ରାୟ ଧର୍ମାନୁଷ୍ଠାନ ତଥା ମନ୍ଦିର, ଚର୍ଚ୍ଚ, ମସଜିଦ ଖୋଲିଛି। ଦୀର୍ଘଦିନ ପରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିଥିବାରୁ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଖୁସି ଖେଳିଯାଇଛି। କିନ୍ତୁ ଶ୍ରୀମନ୍ଦିର ଖୋଲିବାକୁ ନେଇ ଶ୍ରଦ୍ଧାଳୁ, ସେବାୟତମାନେ ଚାତକ ଭଳି ଅପେକ୍ଷା କରି ରହିଛନ୍ତି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲି ନ ଥିବାବେଳେ ବୁଧବାର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର କେବେ ଓ କିଭଳି ଖୋଲିବ, କ’ଣ କ’ଣ କଟକଣା ରହିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ଦୀର୍ଘ ମାସ ପରେ ଦେବାଳୟ ଭକ୍ତଙ୍କ ପାଇଁ ଖୋଲିଥିବାରୁ ପୁରୀ ଆଖଣ୍ଡଳମଣି ପୂଜକ ପୂର୍ଣ୍ଣଚନ୍ଦ୍ର ପାଢୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି କରୋନା ଯୋଗୁ କେବଳ ସୀମିତ ପୂଜକଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯାଉଥିଲା। ଏବେ କଟକଣା ମଧ୍ୟରେ ମନ୍ଦିର ଖୋଲିଥିବାରୁ ଭକ୍ତମାନେ ମନ୍ଦିର ଆସି ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶନ କରୁଛନ୍ତି। ଫଳରେ ଦୀର୍ଘଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ପୁରୀରେ ଥିବା କ୍ୟାଥିଲିକ ଚର୍ଚ୍ଚର ଫାଦର ପ୍ରଦୀପ ସରକାରଙ୍କର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ମୁଖ୍ୟତଃ ରବିବାର ସମୂହ ପ୍ରାର୍ଥନା କରାଯାଇଥାଏ। ପ୍ରାର୍ଥନା ପାଇଁ କଟକଣା ମୁକ୍ତ କରାଯାଇଥିଲେ ମଧ୍ୟ ରବିବାର ଶଟ୍ଡାଉନ ଥିବାରୁ ସମୂହ ପ୍ରାର୍ଥନା କରିହେବ ନାହିଁ। ତେଣୁ ପ୍ରଶାସନ କଟକଣା ମଧ୍ୟରେ ରବିବାର ସମୂହ ପ୍ରାର୍ଥନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ମୁସଲିମ ସମ୍ପ୍ରଦାୟ ପାଇଁ ସମୂହ ନମାଜ ପାଠ ନିମନ୍ତେ ମସ୍ଜିଦ ଖୋଲିବାକୁ ଅନୁମତି ମିଳିଥିବାରୁ ମହମ୍ମଦ ସଫିକ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।