ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’ ଶବ୍ଦ ଜଡ଼ିତ। ପୁର ଶବ୍ଦ ଥିବା ସ୍ଥାନ ପ୍ରାଚୀନ ଐତିହ୍ୟର ଗୋଟିଏ ଗୋଟିଏ ସ୍ମାରକୀ। ଭାରତର ପ୍ରତ୍ୟେକ ଭାଷାରେ ‘ପୁର’ ଶବ୍ଦ ଥାଇ ଗଁା ଅଛି, ନଗର ବି ଅଛି। ଯେପରିକି ଏଇ ଶବ୍ଦ ଆମ ପରମ୍ପରାରେ ଜଗତ ସହିତ ରହିଛି। ଉଦାହରଣ ସ୍ବରୂପ ମର୍ତ୍ତ୍ୟପୁର, ଯମପୁର, ବୈକୁଣ୍ଠପୁର ଓ ସ୍ବର୍ଗପୁର। ସ୍ବର୍ଗପୁରରେ ଇନ୍ଦ୍ର ଯେଉଁଠି ରହୁଛନ୍ତି, ତାକୁ କହୁଛୁ ଇନ୍ଦ୍ରପୁରୀ। ସେହିପରି ମର୍ତ୍ତ୍ୟପୁରରେ ଯେଉଁଠି ଦାରୁଦିଅଁ ବିଜେ କରିଛନ୍ତି ତାହାକୁ କହୁଛୁ ‘ଶ୍ରୀଜଗନ୍ନାଥପୁରୀ’।
ପୁର ଶବ୍ଦର ରହସ୍ୟ ଜାଣିବାକୁ ହେଲେ ଦର୍ଶନଶାସ୍ତ୍ରକୁ ଯିବାକୁ ହୁଏ। ଆତ୍ମାର କେନ୍ଦ୍ର ହେଉଛନ୍ତି ଅବ୍ୟୟପୁରୁଷ। ମଣିଷ ମଧ୍ୟରେ ଥିବା ମନକୁ କୁହାଯାଏ ‘ଅବ୍ୟୟମନ’। ଅବ୍ୟୟମନର ସୃଷ୍ଟି ମୂଳରେ ରହିଛନ୍ତି ଅବ୍ୟୟପୁରୁଷ। ଅବ୍ୟୟମନ ସାକ୍ଷୀ ହୁଏ ମୁକ୍ତିକାଳରେ। ମୁକ୍ତି ସମୟରେ ମାୟାର ବନ୍ଧନ ଖୋଲି ଖୋଲି ଯାଏ। ତେଣୁ ଜୀବର ମାୟାଭାବ ଦୂର କରନ୍ତି ସେହି ଅବ୍ୟୟପୁରୁଷ। ମାଧ୍ୟମ ହେଉଛି ତାଙ୍କରି ଦ୍ୱାରା ସୃଷ୍ଟି ହୋଇଥିବା ‘ମନ’। ଅବ୍ୟୟମନକୁ କୁହାଯାଏ ‘ପୁର’। ଅର୍ଥାତ୍ ମାୟାଭାବ ଯେଉଁଠି ସଙ୍କୁଚିତ ହୁଏ ତାହା ହେଉଛି ପୁର। ମୁକ୍ତିର ସାକ୍ଷୀ ହେଲା ପରି ମନ ମଧ୍ୟ ମାୟାଭାବର ଅପସାରଣ କାଳରେ ସାକ୍ଷୀ ହୁଏ। ଯେଉଁଠି ମାୟାଭାବ ଅପସାରଣ ହୋଇଯାଏ, ତାହା ହେଉଛି ପୁର। ଆମେ ଜାଣିଛେ, ମାୟାଭାବ ଅପସାରଣ ପରେ ମନ ହୋଇଯାଏ ପରାତ୍ପର। ୟାର ଅର୍ଥ ଆତ୍ମା ଅଲଗା, ମାୟା ବି ଅଲଗା। ଏହା ମନର ଏକ ଅବସ୍ଥା। ପୁରର ଭାବ ପୁରୀ। ଯେଉଁଠି ପୁର ଭାବ (ପରାତ୍ପରଭାବ) ନଷ୍ଟ ହୋଇଯାଏ, ଅର୍ଥାତ୍ ଆଉ ‘ଦୁଇ’ ଭାବ ନ ଥାଏ। ଏକ ଭାବ ଥାଏ, ତାହା ହେଉଛି ‘ପୁରୀ’।
ଯେଉଁଠି ସୃଷ୍ଟି ପୂର୍ଣ୍ଣ, ଅନ୍ତରୀକ୍ଷ ପୂର୍ଣ୍ଣ ଆଉ ମହୋଦଧି ବି ପୂର୍ଣ୍ଣ। ଯେଉଁଠି ସମଗ୍ର ସ୍ଥୂଳଭାଗ ବି ପୂର୍ଣ୍ଣ। ସମଗ୍ର ସୂକ୍ଷ୍ମଭାବ ବି ପୂର୍ଣ୍ଣ। ସମସ୍ତ ଅସ୍ତିତ୍ୱପୂର୍ଣ୍ଣ, ପୁଣି ଶୂନ୍ୟ ବି ପୂର୍ଣ୍ଣ। ତେଣୁ ‘ପୁରୀ’ରେ କର୍ତ୍ତାଭାବ ଅଲଗା ହୋଇଯାଏ। କର୍ମଭାବ ହିଁ ଅନୁଭବ ହୁଏ। ଏଠି ଅକର୍ମ ଅଲଗା, ସମର୍ପଣ ଅଲଗା, ବିଦ୍ୟା ବି ଅଲଗା। ଅବିଦ୍ୟାର ପ୍ରଭାବ ବଦଳି ବଦଳି ଯାଏ ପ୍ରତି ମୁହୂର୍ତ୍ତରେ।
ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ ‘ମୁଁ କିଏ?’। ମାୟାଜାଲରେ ତା’ର ଉତ୍ତର ପାଏନି ମଣିଷ। ମନ କେବେ ବି ସହଜରେ ନିଜ ସ୍ବରୂପକୁ ଠଉରେଇପାରେ ନାହିଁ। ତେଣୁ ତ ପ୍ରଶ୍ନ କରେ ମୁଁ କିଏ? ଯେଉଁଠି ମାୟାଜାଲରୁ ମୁକୁଳି ଯିବାର ଉତ୍ତର ମିଳେ, ତାହା ହେଉଛି ପୁରୀ। ମୁକୁଳିଗଲେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିସତ୍ତା ଆଉ ନ ଥାଏ। ସେଇ ହେଉଛି ମୁକ୍ତି। ମୁକ୍ତି ଯେଉଁଠି ପୁରୀ ସେଇଠି, ଅନୁଭବ ହୁଏ କର୍ତ୍ତା ସେଇ, ଭୋକ୍ତା ସେଇ, ସାକ୍ଷୀ ବି ସେଇ। ତେଣୁ କୁହାଯାଏ ମୁକ୍ତି ହେଉଛି ଏକ ଭାବ। ବ୍ୟକ୍ତି ହେଉଛି ପ୍ରତିବିମ୍ବ ମାତ୍ର। କେଉଁଠି? ଜଗତରେ। ଜଗତ କ’ଣ? ବ୍ରହ୍ମଙ୍କର ପୂର୍ଣ୍ଣ ଅଭିବ୍ୟକ୍ତି। ସେ ପୂର୍ଣ୍ଣଭାବ ଯେଉଁଠି ପ୍ରାପ୍ତ ହୁଏ, ତାହା ହେଉଛି ଶ୍ରୀଜଗନ୍ନାଥ ପୁରୀ। ପୂର୍ଣ୍ଣଭାବ ପରେ ବ୍ୟକ୍ତି ଅନୁଭବ କରେ ନା ସ୍ବର୍ଗ, ନା ନର୍କ, ନା ମୋକ୍ଷ। ତା’ହେଲେ ରହେ କ’ଣ? ରହେ କେବଳ ପୁରୀଭାବ ଅର୍ଥାତ୍ ‘ପୂର୍ଣ୍ଣ’ ଭାବ। ‘ପୁର’ ଭାବ ବି ତା’ର ନଷ୍ଟ ହୋଇ ସାରିଥାଏ।