ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷାଋତୁ ଆସିଲେ ବଣ ଜଙ୍ଗଲରେ ଛତୁ ଫୁଟେ। ବନବାସୀମାନେ ଛତୁ ସଂଗ୍ରହକରି ହାଟବଜାରରେ ବିକ୍ରିକରିଥାନ୍ତି। ବିଶେଷକରି ଶ୍ରାବଣ ମାସରେ ବଜାରରେ ବିଭିନ୍ନ ରଙ୍ଗବେରଙ୍ଗ ଓ ଅନେକ କିସମର ଛତୁ ଦେଖିବାକୁ ମିଳୁଛି। ଯଦିଓ ଆଜିକାଲି କୃତ୍ରିମ ଉପାୟରେ ଛତୁଚାଷ ହେଉଛି, କିନ୍ତୁ ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମିଳୁଥିବା ଛତୁର ସ୍ବାଦ ନିଆରା। ଏଣୁ ଏହାର ଚାହିଦା ଅଧିକ। ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁଆ, କୁଟା, ବାଉଁଶ, କାଠଛତୁ, ବାଲିଛତୁ, ବିହୁଡୁଣୀ, ରୁଟୁକା ଆଦି ଭଳି ଅନେକ ଦେଶୀଛତୁ ଏବେ ବଜାରରେ ଉପଲବ୍ଧ ହେଉଛି। ବନବାସୀମାନେ ଛତୁକୁ କେନ୍ଦୁଝର ସହର ରାସ୍ତାକଡ଼ରେ ପତ୍ରଠୋଲା ବା ଚଉପଦିରେ ଭାଗକରି ବିକ୍ରି କରୁଛନ୍ତି।
ବନବାସୀମାନେ ସକାଳୁ ଡାଲା, ବ୍ୟାଗ୍‌, ପାଛିଆ ଆଦି ଧରି ଗାଁମୁଣ୍ଡ, ଜମିବାଡ଼ି, ବଣଜଙ୍ଗଲକୁ ଛତୁ ଗୋଟାଇବାକୁ ବାହାରିଯାଆନ୍ତି। ସେସବୁ ସଂଗ୍ରହକରି ଘରକୁ ଆଣି ନିଜେ ଖାଆନ୍ତି, ହାଟ ବଜାରରେ ବିକ୍ରି କରିଥାଆନ୍ତି। ଛତୁ ଭାଗ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବେପାରୀମାନେ ବିକ୍ରି କରିଥାଆନ୍ତି। ବିଶେଷକରି ବାଲି, ରୁଟୁକା, ବିହୁଡୁଣୀ, କୁଟା ଆଦି ଛତୁର ଚାହିଦା ଅଧିକ ରହିଛି। ଏହାର ଦାମ ମଧ୍ୟ ଅନ୍ୟ ଛତୁ ତୁଳନାରେ ଅଧିକ। ବ୍ୟବସାୟୀ ରୁଟୁକା ଛତୁ କିଲୋ ପିଛା ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଆଧୁନିକ ପ୍ରଣାଳୀରେ ବଟମ ଓ ପାଳଛତୁୁ ବର୍ଷ ତମାମ ଚାଷ କରାଯାଇ ପାରୁଥିବାରୁ ବର୍ଷସାରା ଖାଇବାକୁ ମିଳିଥାଏ। ବର୍ଷାଦିନରେ କେନ୍ଦୁଝର ବଜାରରେ ଦେଶୀଛତୁକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି। ଏଠାରୁ କଟକ, ଭୁବନେଶ୍ୱର ଆଦି ଅନ୍ୟ ସହରକୁ ଛତୁ ଯାଇଥାଏ। ତେବେ ଉପଯୁକ୍ତ ବଜାର ଅଭାବରୁ ଆଦିବାସୀମାନେ ଅନେକ ସମୟରେ ବେପାରୀଙ୍କ ଶୋଷଣର ଶିକାର ହୋଇଥାଆନ୍ତି। ଆଦିବାସୀମାନେ କଷ୍ଟକରି ଛତୁ ସଂଗ୍ରହକରି ଆଣୁଛନ୍ତିି। କିନ୍ତୁ ବ୍ୟବସାୟୀ ସେମାନଙ୍କୁ ଓଜନ ଓ ଦରରେ ଠକି ନେଇ ବିନା ପରିଶ୍ରମରେ ଲାଭବାନ୍‌ ହେଉଛନ୍ତି। ବାଂଶପାଳ ବ୍ଲକ୍‌ କସଡ଼ାର ବସୁମତି ଦେହୁରୀ କୁହନ୍ତି, ଆଗଭଳି ବର୍ଷା ନାହିଁ ବୋଲି ଅଧିକ ଛତୁ ମିଳୁନାହିଁ । ଅନେକ ସମୟରେ ଗ୍ରାହକ ନ ମିଳିଲେ ବେପାରୀମାନଙ୍କୁ କମ୍‌ ଦାମରେ ବିକିଦେଇ ଘରକୁ ପଳାଉ। ଯାହା ମିଳେ ସେଥିରେ ଘରେ ଚଳେ। କାଞ୍ଜିପାଣିର ସୁରଥି ନାଏକ କୁହନ୍ତି, ଛତୁ ଆଗରୁ ଘରବାଡ଼ି, ପଡ଼ିଆରେ ବହୁତ ମିଳୁଥିଲା। ଏବେ ଛତୁ ସଂଗ୍ରହ ପାଇଁ ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି। ଏସବୁ ବିକି ପେଟପାଟଣା ଚଳାଉ।
ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି, ଛତୁରେ ପ୍ରୋଟିନ ଭରି ରହିଛି। ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ। କିନ୍ତୁ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଅନେକେ ଅସୁସ୍ଥ ହୋଇପଡ଼ନ୍ତି। ଏଣୁ ଦେଖି ପରଖି ଛତୁ ଖାଇବା କଥା।
ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି, ଦେଶୀ ଛତୁ ବହୁ ଆଗରୁ ଖାଇ ଆସୁଛୁ। ଏହାର ସ୍ବାଦ ଅତ୍ୟନ୍ତ ନିଆରା। ତେବେ ତଦାରଖ ଅଭାବରୁ ବେପାରୀମାନେ କମ୍‌ ଦାମରେ କିଣି ଅଧିକ ଦାମ୍‌ରେ ବିକି ଲାଭବାନ୍‌ ହେଉଛନ୍ତି। ଫଳରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଛତୁ ମହଙ୍ଗା ହୋଇଯାଉଛି।

Share