ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର, ୯ା୭ (ସ୍ବ.ପ୍ର.)-ଛତୁ ଶାକାହାରୀମାନଙ୍କ ପ୍ରିୟଖାଦ୍ୟ। ସମସ୍ତେ ଛତୁ ଖାଇବାକୁ ଭଲ ପାଇଥାନ୍ତି। ଯଦିଓ ଆଜିକାଲି ବର୍ଷ ତମାମ ଛତୁ କୃତ୍ରିମ ଉପାୟରେ ଚାଷ କରି ଉପତ୍ାଦନ କରାଯାଉଛି ତେବେ ପ୍ରାକୃତିକ ପରିବେଶରେ ଉଠୁଥିବା ଛତୁର ଚାହିଦା ଅଧିକ ଓ ସ୍ବାଦ ଅତି ନିଆରା। ବିଶେଷ କରି ବର୍ଷାଦିନ ଆସିଲେ ରାସ୍ତାଘାଟରେ ଛତୁର ପସରା ମେଲିଯାଏ। କେନ୍ଦୁଝରରେ ବନବାସୀମାନେ ବର୍ଷାଦିନେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ବଣଜଙ୍ଗଲରୁ ସଂଗ୍ରହ କରି ରାସ୍ତାଘାଟ, ହାଟବଜାରରେ ପସରା ମେଲାଇ ଗ୍ରାହକଙ୍କ ଅପେକ୍ଷାରେ ବସିଥାନ୍ତି।
ବିଭିନ୍ନ ପ୍ରକାରର ଛତୁ ବଣଜଙ୍ଗଲରେ ଫୁଟିଥାଏ। ବର୍ଷା ପାଣି ପଡ଼ିବା ପରେ ବାଡ଼ିବଗିଚା, ଜଙ୍ଗଲ ମାଟିରେ ଛତୁ ଫୁଟିଥାଏ।ବନବାସୀମାନେ ସକାଳୁ ସକାଳୁ ଟୋକେଇ,ବ୍ୟାଗ, ଝୁଡ଼ି, ପାଛିଆ ଆଦି ଧରି ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି। ଛତୁ ମଧ୍ୟରେ ଅଧିକ ସୁଆଦିଆ ହେଉଛି ବାଲି ଛତୁ, ରୁଟୁକା, ବିହୁଡୁଣୀ ଓ କୁଟା ଛତୁ। ଏଣୁ ସେସବୁର ଚାହିଦା ଅଧିକ। ବନବାସୀମାନଙ୍କଠାରୁ ବେପାରୀମାନେ ଏହି ଛତୁ କିଣିନେଇ ଚଢା ଦରରେ ଲୋକଙ୍କୁ ବିକିଥାନ୍ତି। ଫଳରେ ବନବାସୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଏହି ଛତୁ ମଧ୍ୟ ବାହାର ଜିଲା ଓ ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାକୁ ଆସୁଥିବା ଲୋକ ବା ପର୍ଯ୍ୟଟକମାନେ ମଧ୍ୟ ଖୁସିରେ କିଣି ନେଇଥାନ୍ତି ା ଏହା ବ୍ୟତୀତ ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁ, କୁଟା, ବାଉଁଶ, କାଠଛତୁ ଆଦି ଛତୁ ଜଙ୍ଗଲରେ ମିଳିଥାଏ। ଯାହାର ଚାହିଦା ଓ ଦାମ୍‌ ଅନ୍ୟ ଅପେକ୍ଷା କମ୍‌।
ଛତୁ ସ୍ବାସ୍ଥ୍ୟ ପକ୍ଷେ ହିତକର ା ଅନେକ ସମୟରେ ଜଙ୍ଗଲରେ ବିଷାକ୍ତ ଛତୁ ମଧ୍ୟ ମିଳିଥାଏ। ଯାହାକୁ ଖାଇ ଲୋକେ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ଏଣୁ ଛତୁକୁ ବାଛି ଖାଇବା ଉଚିତ ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଆଗରୁ ଘରବାଡ଼ି, ପଡ଼ିଆ, ଜଙ୍ଗଲ ଓ ପାହାଡ଼ରେ ବହୁତ ପ୍ରକାର ଛତୁ ମିଳୁଥିଲା। ତେବେ ଆଜିକାଲି ଆଉ ସେତେ ମିଳୁନାହିଁ। ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି ଏବଂ ଅନେକ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡୁଛି ବୋଲି ଛତୁ ସଂଗ୍ରହକାରୀ ରାଇମଣି ନାଏକ କହିଛନ୍ତି। ଜଙ୍ଗଲ କ୍ଷୟ ଏବଂ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଗଭଳି ଛତୁ ମିଳୁନାହିଁ। ତେବେ ଏହାର ଆବଶ୍ୟକତା ଆଜିକାଲି ଚାଷ ହେଉଥିବା କୁଟା ଛତୁ, ବଟମ ଆଦି ଛତୁ ପୂରଣ କରୁଥିଲେ ହେଁ ସେଭଳି ସ୍ବାଦ ମିଳୁନାହିଁ ବୋଲି ଶିକ୍ଷାବିତ ଡ. ଅନିଲ କୁମାର ଦାସ ପ୍ରକାଶ କରିଛନ୍ତି।

Share