ସବ୍‌ରେଜିଷ୍ଟ୍ରି, ସବ୍‌ଟ୍ରେଜେରୀ ଖୋଲିବା ପାଇଁ ଦାବି ଜୋର୍‌ ଧରିଲା

ମୋରଡ଼ା,୨୮ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାରେ ସବ୍‌ରେଜିଷ୍ଟ୍ରି ଓ ସବ୍‌ ଟ୍ରେଜେରୀ ଅଫିସ ଖୋଲିବା ନିମନ୍ତେ ଦାବି ଜୋର୍‌ ଧରିଛି। ଏନେଇ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦୁଇଟି କାର୍ଯ୍ୟାଳୟ ନ ଥିବାରୁ ୨୦ଟି ପଞ୍ଚାୟତକୁ ନେଇ ଗଠିତ ମୋରଡ଼ା ବ୍ଲକବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ରାସଗୋବିନ୍ଦପୁରକୁ ଯାଇ ଲୋକେ ଅଧିକ ଖର୍ଚ୍ଚାନ୍ତରେ ପଡୁଛନ୍ତି। ତେଣୁ ଦୀର୍ଘ ବର୍ଷରୁ ଏହି ଦାବ ହୋଇଆସୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଉକ୍ତ ୨୦ଟି ପଞ୍ଚାୟତର ଜନସାଧାରଣଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ଲକର ଚିତ୍ରଡ଼ାଠାରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସହିତ ଗମନାଗମନ ସୁବିଧା ଥିବାରୁ ଉକ୍ତ ଦୁଇଟି କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସାମ୍ବାଦିକ ସଂଘର ସଭାପତି ରଣଜିତ କୁମାର ସାହୁ,ଉପସଭାପତି ରବୀନ୍ଦ୍ର ମହାନ୍ତ, ରଜତ କୁମାର ମହାନ୍ତ,ଦୀପକ କୁମାର ବେହେରା, ଜ୍ଞାନରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।