ପଦ୍ମପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି: ଶୁଣିନଥିଲେ ପୂର୍ବ ସରକାର, ଏବେ ମୁଖ୍ୟମନ୍ତ୍ରୀକୁ ପୁଣି ଦେଲେ ଦାବିପତ୍ର

କେନ୍ଦୁଝର,୨୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁରକୁ ନୂତନ ବ୍ଲକ ଗଠନ ମାନ୍ୟତା ଦାବିରେ ଶକ୍ତି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସମ୍ପର୍କରେ ଦାବି ଉପସ୍ଥାପନ କରାଯାଇ ଆସୁଥିଲେ ହେଁ ପୂର୍ବତନ ସରକାର ଏହାକୁ ଗୁରୁତ୍ୱ ନ ଦେଇ ଦୀର୍ଘ ୨୪ ବର୍ଷ କାଳ ଜନସାଧାରଣଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ପଦ୍ମପୁରକୁ ଏକ ନୂତନ ବ୍ଲକ ସ୍ଥାପନ ପାଇଁ ଜନସାଧାରଣ ଦାବି କରିଆସୁଛନ୍ତି। ପଦ୍ମପୁର ପଞ୍ଚାୟତ ଓ ଆଖପାଖ ପଞ୍ଚାୟତ ଗୁଡିକ ସାଧାରଣତଃ ଜନଜାତି ଆଦିବାସୀ ବହୁଳ।

ପ୍ରକାଶଯେ, କେନ୍ଦୁଝର ସଦର ବ୍ଳକ କାର୍ଯ୍ୟାଳୟଟି ସହରର ଉପକଣ୍ଠରେ ତଥା ଏହି ଅଞ୍ଚଳରୁ ଦୂରରେ ରହିଛି। ଏଣୁ ସବୁ କାର୍ଯ୍ୟସଳୟ ଗୁଡିକରେ ବହୁ ସମୟରେ ଭିଡ ଲାଗି ରହୁଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଏ ଅଞ୍ଚଳବାସୀ ପଦ୍ମପୁରକୁ ଏକ ନୂତନ ବ୍ଲକ ସ୍ଥାପନ ନିମନ୍ତେ ଆଶା ବାନ୍ଧିଛନ୍ତି। ସମାଜସେବୀ ତଥା ଶକ୍ତି ସଂଗଠନର ମୁଖ୍ୟ ସରୋଜ କୁମାର ସାହୁ, ରଞ୍ଜନ କୁମାର ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।