ରୋହିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

କେସିଙ୍ଗା,୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସୋମବାର ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋହିତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏପରିକି ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗତ ୫ ତାରିଖରେ ଖବରଦାତା ରୋହିତ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରୋହିତଙ୍କୁ ଶହୀଦ ମାନ୍ୟତା ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ରୋହିତଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଅନୁଦାନ, ପୁଅଝିଅଙ୍କୁ ମାଗଣାରେ ପାଠପଢ଼ା, ରୋହିତଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସଭାରେ ସଂଘର ସଭାପତି ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ, କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ଭୋଇ, କୋଷାଧ୍ୟକ୍ଷ ଅର୍ଜୁନ ପୋଢ଼, ସଂଘର ସକ୍ରିୟ ସଭ୍ୟ ରମେଶ ପଟ୍ଟନାୟକ, ବଳରାମ ନାଏକ, ମନୋଜ ସିଂ, ମଧୁ ସିନ୍ଧୂର ପ୍ରମୁଖ ଉପସ୍ଥିତ ଥିଲେ।

 

Share