ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ତେଜିଲା

ପୁରୀ, ୨୯ା୯(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ପ୍ରଶାସନ କର୍ଣ୍ଣପାତ କରୁନାହିଁ। ତେଣୁ ତୁରନ୍ତ ୪ ଦ୍ୱାର ଖୋଲିବା ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୩ ତାରିଖରେ ଓଡ଼ିିଶା ବନ୍ଦ ଡାକରା ଦିଆଯାଇଛି। ସେହିପରି ଦୀର୍ଘ ୩୮ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିବା ବେଳେ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲୁ ନ ଥିବା ବେଳେ ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ଯାହାକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି। ତୁରନ୍ତ ରତ୍ନଭଣ୍ଡାର ଖୋଲି ମରାମତି ସହ ଅଳଙ୍କାର ଗଣତି କରିବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏ ନେଇ ଆସନ୍ତା ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଡାକରା ସ୍ଥଗିତ ରଖିବା ପାଇଁ ଜିଲାପାଳ ସମର୍ଥ ବର୍ମା ରବିବାର ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଡାକି ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହୋଇଥିବା ପଟ୍ଟନାୟକ କହିଛନ୍ତି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ମିଳିବା ଦେଖି ସରକାର ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି। ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଆଲୋଚନା ସମୟରେ ଜିଲାପାଳ ପୁରୁଣା କଥାକୁ ଦୋହରାଇଛନ୍ତି। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ପରିକ୍ରମା ମାର୍ଗର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବ ବୋଲି ଜିଲାପାଳ କହିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ଥର କାର୍ଯ୍ୟ ସରିବା ନେଇ ଡେଡ୍‌ ଲାଇନ ଘୋଷଣା କରାଯାଇଥିଲେ ମଧ୍ୟ କାମ ସରିବାର ନାଁ ନେଉନାହିଁ। ପ୍ରଶାସନ ପକ୍ଷରୁ ସମୟ ଗଡ଼ିଯାଉଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କାର୍ଯ୍ୟର ସମୀକ୍ଷା କରାଯାଉଛି। ପ୍ରତ୍ୟେକ ସ୍ଥାନରେ ୫ରୁ ୬ ଜଣ ଲୋକ କାର୍ଯ୍ୟ କରୁଛନ୍ତି। ତେଣୁ କାର୍ଯ୍ୟ ସରିବାରେ ବିଳମ୍ବ ହେଉଛି। କାମ ସରିଲେ ଚାରିଦ୍ୱାର ଖୋଲାଯିବା କଥା ଯାହା ଜିଲାପାଳ କହୁଛନ୍ତି, ତାହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପଟ୍ଟନାୟକ କହିଛନ୍ତି। ପ୍ରଶାସନ ଯଦି ଲିଖିତ ଭାବେ ପ୍ରତିଶ୍ରୁତି ଦେବ ତେବେ ବନ୍ଦ ଡାକରାକୁ ସ୍ଥଗିତ ରଖାଯିବ। ଲିଖିତ ଆକାର ପାଇଁ ପ୍ରଶାସନକୁ ୭୨ ଘଣ୍ଟା ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଲେ ବନ୍ଦ ଡାକରା ସ୍ଥଗିତ ରଖାଯିବ। ନଚେତ ୩ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ। ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଏ ଲଢେଇ ହେଉଛି ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଶ୍ରୀଜଗନ୍ନାଥ ସେନା ଧାଡି ଦର୍ଶନକୁ ବିରୋଧ କରିବା ସହ ରତ୍ନଭଣ୍ଡାର ଖୋଲିବା ଦାବିରେ ପୁରୀ ବନ୍ଦ କରିଥିଲା।

Share