ବିଜୟ ମହାନ୍ତିଙ୍କ ବିୟୋଗ ଏକ ଯୁଗର ଅନ୍ତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)- ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଜୟ ମହାନ୍ତି ତାଙ୍କର ବହୁବିଧ ପ୍ରତିଭା ପାଇଁ ଓଡ଼ିଆ ଚଳଚ୍ଚିତ୍ରକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଦୀର୍ଘ ଚମତ୍କାର କ୍ୟାରିୟର ଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ନିୟୁତ ନିୟୁତ ପ୍ରଶଂସକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅନ୍ତ ହେଲା । ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ନଜର ସମବେଦନା ଜଣାଇବା ସହିତ ସ୍ବର୍ଗତ ଆତ୍ମାର ସଦ୍‌ସଗତି କାମନା କରିଛନ୍ତି।
ବିଜୟ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରତାପ ଷଡ଼ଙ୍ଗୀ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ବିଜୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share