ନନ୍ଦାହାଣ୍ଡି, ୧୦ା୩(ଡି.ଏନ୍.ଏ.): ବିଦ୍ୟୁତ୍ ବିଲ୍ ପଇଠ ହୋଇ ନ ଥିବାରୁ ବିଦ୍ୟୁତ୍ ବିଭାଗ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଗାଁରେ ଥିବା ଜଳ ଯୋଗାଣ କେନ୍ଦ୍ରରୁ ସଂଯୋଗ କାଟି ଦେଇଥିଲା। ଫଳରେ ଲୋକମାନେ ପାନୀୟ ଜଳ ନ ପାଇ ହନ୍ତସନ୍ତ ହୋଇଥିଲେ। ଜିଲାପାଳ ଡ. କମଳଲୋଚନ ମିଶ୍ର ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିଦ୍ୟୁତ୍ ବିଭାଗକୁ ତୁରନ୍ତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକମାନଙ୍କୁ ପିଇବା ପାଣି ମିଳିଥିଲା।
ପଡାଲଗୁଡ଼ା ଗାଁରେ ପ୍ରାୟ ୧୫ଶହ ଲୋକ ଅଛନ୍ତି। ବିଦ୍ୟୁତ୍ ବିଲ୍ ପଇଠ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ୨ ଦିନ ହେବ ବିଦ୍ୟୁତ୍ ସଂଯୋଗ କଟାଯାଇଥିଲା। ଖରାଦିନେ ପାଣି ନ ମିଳିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଖରାଦିନେ ପାନୀୟ ଜଳ ଯୋଗାଣ ଉପରେ ସରକାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ସ୍ଥାନୀୟ ଖବରଦାତାମାନେ ଘଟଣା ସମ୍ପର୍କରେ ଅବଗତ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ତୁରନ୍ତ ଜଳ ଯୋଗାଣ କେନ୍ଦ୍ରରେ ଇଲେକ୍ଟ୍ରି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକଙ୍କୁ ପାଣି ମିଳିଥିଲା। ବିଦ୍ୟୁତ୍ ବିଲ୍ ପଇଠ ସମ୍ପର୍କରେ ପଡାଲଗୁଡ଼ା ପିଇଓ ପ୍ରଫୁଲ୍ଲ କୁମାର ବାଗଙ୍କୁ ପଚାରିବାରୁ ବିଦ୍ୟୁତ୍ ବିଭାଗ ମାସକୁ ମାସ ବିଲ୍ ଦେଉନାହାନ୍ତି। ତେଣୁ ଟଙ୍କା ବନ୍ଧା ଯାଇପାରୁନି। ବିଦ୍ୟୁତ୍ ବିଭାଗ ନୋଟିସ୍ ନ ଦେଇ ସଂଯୋଗ କାଟିଥିଲା ବୋଲି ସେ କହିଛନ୍ତି। ବିଦ୍ୟୁତ୍ ବିଭାଗ ଏପରି କାର୍ଯ୍ୟ କରିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ପ୍ରକାଶ ଯେ, କିଛିଦିନ ପୂର୍ବରୁ ମଧ୍ୟ ଦହଣା, ଅଣ୍ଟାସର ଗ୍ରାମର ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍ ସଂଯୋଗକୁ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସେଠାରେ ବିଦ୍ୟୁତ୍ ସଂଯୋଗ ମିଳିବା ପରେ ଲୋକମାନଙ୍କୁ ପାଣି ମିଳିଥିଲା।