Advertisement
Categories: କୋରାପୁଟ

ରାସ୍ତା ନିର୍ମାଣ କରି ରକ୍ଷଣାବେକ୍ଷଣ ଭୁଲିଯାଉଛି ବିଭାଗ

କୁନ୍ଦୁରା,୭।୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶିଠାରୁ ବେଢାପାଉଁଶି ଏବଂ ଡଙ୍ଗରପାଉଁଶି ଗ୍ରାମ୍ୟ ବ୍ୟାଙ୍କ ଛକଠାରୁ ଜିରାଗୁଡା ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଶୋଚନୀୟ ହୋଇପଡିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କିମ୍ବା ମରାମତି ହେଉନାହିଁ। ଫଳରେ ଏହି ରାସ୍ତାରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଉକ୍ତ ରାସ୍ତା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ହୋଇଥିଲା। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ସଲାସୁତରା ଯୋଗୁ ୬/୭ କିମି ରାସ୍ତା ଠିକ୍‌ ରୂପେ ନିର୍ମାଣ କରିବାରେ ବିଭାଗ ବିଫଳ ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଡଙ୍ଗରପାଉଁଶ,କୁନ୍ଦୁରା ପଞ୍ଚାୟତ ସହ ଭେଜାହାଣ୍ଡି,ବେଢାପାଉଁଶି,ଜିରାଗୁଡାକୁ ସଂଯୋଗ କରୁଛି। ରାସ୍ତା ଉପରେ ଦୁଇଟି ଉଚ୍ଚ ବିଦ୍ୟାଳୟ, ୩ଟି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ୩ଟି ପଞ୍ଚାୟତର ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ରାସ୍ତା ସମ୍ପର୍କରେ ଗତ ଦିନରେ ଖବର ପ୍ରକାଶ ପରେ ବିଭାଗ ତତ୍ପରତା ଦେଖାଇ ୫୦୦ ମିଟର ରାସ୍ତା ରକ୍ଷଣାବେକ୍ଷଣ କରି ଚୁପ ହୋଇ ବସିଛି। ଏହି ଖବର ପ୍ରସାରଣ ପରେ ଜଣେ ସାମାଜିକକର୍ମୀ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୫-ଟିକୁ ଟୁଇଟ୍‌ କରିବାରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ନିର୍ମାଣ କରିବାକୁ ବିଭାଗୀୟ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କୋରାପୁଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ଦିନ ପରେ ମଧ୍ୟ ବିଭାଗ ଏ ଦିଗରେ କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣକରିନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ କିଶୋର ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ, ଏନେଇ ବିଭାଗକୁ ଚିଠି ଲେଖିଛୁ। ଅନୁଦାନ ଆସିଲେ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel