ଜଙ୍ଗଲ ଓ ପରିବେଶ ବିଭାଗ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ୧୮୯୧ କୋଟି ୬୦ ଲକ୍ଷ ୪୭ ହଜାର ଟଙ୍କାର ଖର୍ଚ୍ଚଦାବି ମଙ୍ଗଳବାର ବିଧାନସଭାରେ ଗୃହୀତ ହେଇଛି। ସେଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୦୧ କୋଟି ୭୦ ଲକ୍ଷ ଟଙ୍କା, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧୩୮୯ କୋଟି ୯୦ଲକ୍ଷ ଟଙ୍କା। ଏହାମଧ୍ୟରୁ ୧୧୬୮ କୋଟି ୩ ଲକ୍ଷ ଟଙ୍କା ରାଜ୍ୟସ୍ତରୀୟ, ୨୨୦ କୋଟି ୮୭ ଲକ୍ଷ ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଓ ୧ କୋଟି ଟଙ୍କା କେନ୍ଦ୍ରୀୟ ଯୋଜନାରେ ବ୍ୟୟବରାଦର ପ୍ରସ୍ତାବ ଅଛି। ରାଜ୍ୟରେ ସର୍ବମୋଟ ୬୧, ୨୦୪.୧୭ ବର୍ଗ କିଲୋମିଟର ଜଙ୍ଗଲ ଅଛି । ରାଜ୍ୟ ଭୌଗୋଳିକ କ୍ଷେତ୍ରର ଏହା ୩୯.୩୦ ପ୍ରତିଶତ। ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟର ବନୀକରଣ ଲକ୍ଷ୍ୟ ରଖାଯାଇଛି । ସେଥିରୁ ୪୪ ହଜାର ୫୦୦ ହେକ୍ଟର କାମ୍ପା ମାଧ୍ୟମରେ ଓ ୫୦ ହଜାର ହେକ୍ଟର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ କରିବାକୁ ସ୍ଥିର ହୋଇଛି ।
ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁ, ଚାରା ରୋପଣରେ ଦୁର୍ନୀତି ଏବଂ କାମ୍ପା ଫଣ୍ଡରେ ହେରଫେର ବିଷୟ ଉଠାଇଥିଲେ। ଏଥିସହିତ ଡିଏମଏଫ, ଓଏମ୍‌ବିଡିଏସି ପାଣ୍ଠିର ବ୍ୟବହାର ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଭାଜପା ଦାବି କରିଛି। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତରରେ କହିଥିଲେ ଯେ, ଓଡିଶା ଜଙ୍ଗଲ ସୃଷ୍ଟି କରିବାରେ ଦେଶରେ ୧ ନମ୍ବର ସ୍ଥାନରେ ରହିଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷ ତ୍ୟାଗ କରି ବାହାରକୁ ଚାଲି ଯାଇଥିଲେ। ଶେଷରେ ଜଙ୍ଗଲ ଓ ପରିବେଶ ବିଭାଗର ଖର୍ଚ୍ଚ ଦାବି ବାଚନିକ ଭୋଟରେ ପାରିତ ହୋଇଥିଲା।

Share