ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ସ୍ବାସ୍ଥ୍ୟବିଭାଗ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ଡାକ୍ତରଖାନାର ଚିକିତ୍ସକ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି। ଏଣିକି ସମସ୍ତ ନର୍ସିଂହୋମ, କ୍ଲିନିକ ଏବଂ ପଲି କ୍ଲିନିକ୍‌ରେ ସ୍ବତନ୍ତ୍ର ଫିଭର କ୍ଲିନିକ ରଖିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ସହ ହାତ ଧୋଇବା ଏବଂ ସାନିଟାଇଜ୍‌ ହେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟେଥୋସ୍କୋପ୍‌, ଥର୍ମୋମିଟର, ରକ୍ତଚାପ ଯାଞ୍ଚ ମେଶିନ ପ୍ରତ୍ୟେକ ଥର ବ୍ୟବହାର ହେବାପରେ ଭଲଭାବେ ବିଶୋଧନ କରାଯିବ। ଥଣ୍ଡାଜ୍ୱର ଲକ୍ଷଣ ଥିବା କିମ୍ବା ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବା ରୋଗୀଙ୍କୁ ନିକଟସ୍ଥ ସରକାରୀ କିମ୍ବା ବେସରକାରୀ କୋଭିଡ ହସ୍ପିଟାଲ ଓପିଡିକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମସ୍ତ ରୋଗୀଙ୍କ ପଞ୍ଜୀକରଣ କରିବାକୁ ଗାଇଡଲାଇନରେ କୁହାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ଡାକ୍ତର, କ୍ଲିନିକ୍‌ ଏବଂ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି।

Share