Categories: ଜାତୀୟ

ଆରମ୍ଭ ହେବ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ: ସୋନୁ ସୁଦ ହେଲେ ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ,୨୭।୮: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଘବ ଚଢା ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅଭିନେତା ସୋନୁ ସୁଦ ଏବଂ କେଜ୍‌ରିଓ୍ବାଲଙ୍କ ଏହି ସାକ୍ଷାତ ଏକ ବିଶେଷ ଉଦ୍ଦେଶ୍ୟ ପାଇଁ ହୋଇଛି। ଦିଲ୍ଲୀ ସରକାର ‘ଦେଶ କା ମେଣ୍ଟର’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି, ଯାହାର ବ୍ରାଣ୍ଡ ଆମ୍ବାସାଡର ସୋନୁ ସୁଦ ହେବେ। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଉଭୟ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। କେଜ୍‌ରିଓ୍ବାଲ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ। କେଜ୍‌ରିଓ୍ବାଲ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଆଜି ସୋନୁ ସମଗ୍ର ଦେଶ ପାଇଁ ପ୍ରେରଣା ପାଲଟିଛି। ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ଘରେ ପହଞ୍ଚିଛନ୍ତି। ଆଜି ଆମେ ସୋନୁ ସୁଦଙ୍କ ସହିତ ତାଙ୍କ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ । ଆମେ ଜାଣିବାକୁ ପାଇଲୁ ଯେ ସେ କିପରି ଅନେକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ସେ କିପରି ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ସେ କିପରି ଏତେ ବଡ଼ ସାହାଯ୍ୟର ନେଟୱାର୍କ ସୃଷ୍ଟି କରିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ସେ ସୋନୁ ସୁଦଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେଜ୍‌ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀ ସରକାର ପାଇଲଟ ପ୍ରୋଜେକ୍ଟ ଭାବରେ ‘ଦେଶ କା ମେଣ୍ଟର’ ବା ‘ଦେଶର ପରାମର୍ଶଦାତା କାର୍ଯ୍ୟକ୍ରମ’ ନାମକ ଏକ କାର୍ଯ୍ୟକ୍ରମ ଚଳାଉଛନ୍ତି ଯାହା ଖୁବଶୀଘ୍ର ଆରମ୍ଭ ହେବ। ଏହା ଅଧୀନରେ, ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଯେଉଁମାନେ ଅତ୍ୟନ୍ତ ଗରିବ ପୃଷ୍ଠଭୂମିରୁ ଆସିଛନ୍ତି ସେମାନେ ଭବିଷ୍ୟତରେ କଣ କରିପାରିବେ ତାହାର ମାର୍ଗଦର୍ଶନ ହେବ। ଭବିଷ୍ୟତରେ ପିଲାମାନେ କେଉଁ କ୍ଷେତ୍ରକୁ ଯିବାକୁ ପଡିବ ତାହା ଅନେକ ଜାଣନ୍ତି ନାହିଁ। ଏପରିକି ତାଙ୍କ ମାତାପିତା ମଧ୍ୟ ତାଙ୍କୁ ମାର୍ଗଦର୍ଶନ କରିପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସେହି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା, ସେମାନଙ୍କର ଚାପ କମାଇବା ଏବଂ ସେମାନଙ୍କ ପ୍ରତିଭା ଅନୁସାରେ କ୍ଷେତ୍ର ବାଛିବାରେ ସାହାଯ୍ୟ କରିବା ଉଚିତ୍‌। ଏହା ହେଉଛି ଦେଶର ପରାମର୍ଶଦାତା କାର୍ଯ୍ୟକ୍ରମ। ଏହା ପରେ କେଜିର୍‌ଓ୍ବାଲ୍‌ କହିଥିଲେ ଯେ ସୋନୁ ସୁଦ ଆମର ଏହି କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସାଡର ହେବାକୁ ରାଜି ହୋଇଛନ୍ତି। ଆମେ ଖୁସି ଯେ ସେ କହିଛନ୍ତି ଯେ ସେ କିଛି ପିଲାଙ୍କୁ ପରାମର୍ଶ ଦେବେ ଏବଂ ପିଲାମାନଙ୍କ ପାଇଁ ଏକ ପରାମର୍ଶଦାତା ହୋଇ ସେମାନଙ୍କୁ ସାହାଯ୍ୟ କରିବାକୁ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି।

Share