ପୁରୀ ଅଫିସ,୨୬।୪:ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ସମ୍ପର୍କରେ ତୋଗାଡ଼ିଆ କହିଛନ୍ତି, ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଭଲ, ତେବେ ବିକାଶ କାର୍ଯ୍ୟ ହେବା ଆବଶ୍ୟକ। ପାନୀୟଜଳ, ସ୍ବାସ୍ଥ୍ୟ ଓ ସଡ଼କ ଭଳି ସୁବିଧା ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କୁ ମିଳିବା ଦରକାର। ମାତ୍ର ଶ୍ରୀକ୍ଷେତ୍ରର ପ୍ରାଚୀନ ମଠ ମନ୍ଦିରକୁ ଧ୍ୱଂସ କରି ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣ କରି ଏହାକୁ ବିକାଶ ବୋଲି କୁହାଯାଇପାରିବ ନାହିଁ। ଏହାକୁ ବିନାଶ ବୋଲି କୁହାଯିବ। ଶ୍ରୀମନ୍ଦିର ଚାରିପାଖରେ ଭବ୍ୟ କରିଡ଼ରର ଆବଶ୍ୟକତା ନାହିଁ, ଧର୍ମସ୍ଥଳୀର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ଚାରିପାଖରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହେବା ଦରକାର। ପ୍ରାଚୀନ ମଠ ଓ ମନ୍ଦିରର ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବା ଦରକାର। ବିକାଶ କହିଲେ ମନ୍ଦିରର ବିକାଶକୁ ବୁଝିବା ଦରକାର। ପ୍ରାଚୀନତାକୁ ନଷ୍ଟ କରି ବିକାଶ କରାଯାଇପାରିବ ନାହିଁ। ସେହିଭଳି ଶ୍ରୀମନ୍ଦିର ସଂସ୍କୃତିରେ ଥିବା କୌଣସି ପ୍ରାଚୀନତାକୁ ନଷ୍ଟ କରାଯିବା ଉଚିତ୍ ନୁହେଁ। ପ୍ରାଚୀନ କୀର୍ତ୍ତିରାଜି ଓ ମଠ ମନ୍ଦିରର ବିକାଶ କରି ପୁରୀ ଭଳି ବିଶ୍ୱପ୍ରସିଦ୍ଧ ଧାର୍ମିକ ସ୍ଥଳୀର ବିକାଶ କରାଯିବା ଉଚିତ୍।