୨ବର୍ଷ ଭିତରେ ଗୋଟିଏ ବି କାମ ସାରିନାହାନ୍ତି ଠିକାଦାର

ତେନ୍ତୁଳିଖୁଣ୍ଟି, ୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏକ ପ୍ରମୁଖ ରାସ୍ତା କାମ ପ୍ୟାକେଜ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ବାହାରିଥିଲା। ମୂଷାମୁଣ୍ଡିଗୁଡ଼ା-କଣ୍ଟାଗାଁ, ପାତ୍ରପୁଟ-ଅଞ୍ଚଳଗୁମ୍ମା, ଅଞ୍ଚଳଗୁମ୍ମା-ଉମୁରି, ଅଞ୍ଚଳଗୁମ୍ମା-କାମତା ପ୍ରମୁଖ ରାସ୍ତା ଉକ୍ତ ପ୍ୟାକେଜରେ ରହିଥିଲା। ଭଲ ରାସ୍ତା ତିଆରି ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଲୋକେ ଅସୁବିଧା ଭୋଗ କରୁଛନ୍ତି। ଠିକାଦାର କେଉଁଠି ରାସ୍ତା ଖୋଳି ଛାଡ଼ି ଦେଇଛନ୍ତି ତ କେଉଁଠି ନୂତନ କଲଭର୍ଟ ନିର୍ମାଣ ନାମରେ ରାସ୍ତା ଭାଙ୍ଗି ଦେଇଛନ୍ତି। ଠିକାଦାର ଲକ୍ଷ୍ମୀନାରାୟଣ ଜୈନ ୨ ବର୍ଷ ମଧ୍ୟରେ ଗୋଟିଏ ବି ରାସ୍ତା ଶେଷ ସାରିନାହାନ୍ତି।
ଉମୁରୀରେ କଲ୍‌ଭର୍ଟ ଭାଙ୍ଗିଥିବାରୁ ବିପଦସଙ୍କୁଳ ଭାବେ ଛାତ୍ରୀଛାତ୍ର ଓ ଜନତା ଯିବାଆସିବା କରୁଛନ୍ତି। ସବୁ ରାସ୍ତା ଏବେ କର୍ଦ୍ଦମାକ୍ତ ଓ ବିପଦସଙ୍କୁଳ। ବର୍ତ୍ତମାନ ସ୍ଥିତିରେ ବର୍ଷାଦିନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥୀ। ମେଣ୍ଟରୀରୁ ବାଦୀଗୁଡା ରାସ୍ତା କଲ୍‌ଭର୍ଟ ଦବିଯାଇଛି। ଏଣୁ ଅଧିକ ବାଟ ବୁଲି ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି। ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହେଉଛି। ଜିଲା ପରିଷଦ ବୈଠକରୁ ଆରମ୍ଭ କରି ସମିତି ବୈଠକରେ ଏହି ପ୍ୟାକେଜ୍‌ ରାସ୍ତା ସମ୍ପର୍କରେ ଆଲୋଚନା ହେଉଛି। ଲୋକ ପ୍ରତିନିଧି ଓ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ରାସ୍ତା କାମରେ କୌଣସି ଅଗ୍ରଗତି ନାହିଁ। ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର ପାଇଁ ଚୂଡାନ୍ତ ହୋଇଛି। ଏହି ପ୍ୟାକେଜ କାମ ସରିଲେ ହିଁ ହସ୍ତାନ୍ତର ହୋଇପାରିବ ବୋଲି ଜଣାପଡ଼ିଛି। ଏ ନେଇ ଠିକାଦାର ଲକ୍ଷ୍ମୀନାରାୟଣ ଜୈନଙ୍କୁ ପଚାରିବାରୁ ବର୍ଷାଋତୁରେ ଏଭଳି ହେବ। ଲେସରେ କାମ ନେଇ ବର୍ଷାରେ କାମ କରି କ୍ଷତି କାହିଁକି ସହିବୁ ବୋଲି ସେ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ବର୍ତ୍ତମାନ ପାଇଁ ଚଳାଚଳ ଯୋଗ୍ୟ ରାସ୍ତା କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Share