ଶ୍ରୀମନ୍ଦିର ବିକାଶରେ ବାଧା ହେବନି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୮।୨(ବ୍ୟୁରୋ): ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(ଏନ୍‌ଏମଏ୍‌)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଅଧିନିୟମରେ ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଥିବା ଯୋଗୁ ଏନେଇ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରିଛନ୍ତି। ଜାତୀୟ ସ୍ମାରକ ପ୍ରାଧିକରଣର ପ୍ରସ୍ତାବିତ ଅଧିନିୟମ ଦ୍ୱାରା ଯେପରି ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ ବାଧା ନ ହେବ ସେନେଇ ଦୃଷ୍ଟି ଦିଆଯିବ ବୋଲି ପ୍ରହଲ୍ଲାଦ ପଟେଲ ପ୍ରତିଶ୍‌ୃତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି। ଟୁଇଟ୍‌ କରି ପ୍ରଧାନ ଆହୁରି କହିଛନ୍ତି, ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟରେ ବାଧକ ସାଜିବା ଭଳି କାର୍ଯ୍ୟ କରିବେ ନାହିଁ। ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଅଞ୍ଚଳର ଭାବାବେଗରେ ଆଘାତ ପହଞ୍ଚାଇବା ଭଳି କୌଣସି ପଦକ୍ଷେପ ନେବେ ନାହିଁ ବୋଲି ମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି। ଅନ୍ୟପଟେ ଏନେଇ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ସମଗ୍ର ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଏହି ନିଷ୍ପତ୍ତି ଆଘାତ ଦେଇଛି। ଏଇ ଯେଉଁ ଦଳଗୁଡିକ ଧାର୍ମିକ ଭାବନାର ଡିଣ୍ଡିମ ପିଟୁଛନ୍ତି ସେମାନେ ଏହାଦ୍ୱାରା ଲୋକମାନଙ୍କୁ କେତେଦୂର ଆଘାତ ଦେଇଛନ୍ତି ସେ ବିଷୟରେ ଆଲୋଚନା କରିବାର ଆବଶ୍ୟକତା ଥିବା ବେହେରା କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଶ୍ରୀମନ୍ଦିର ଚାରି ପାଖ ଭଙ୍ଗା ସରିବା ସହିତ ସଫା ମଧ୍ୟ ହେଇଗଲାଣି। ସେହି ସ୍ଥାନରେ ଟାଇଲ ବସିସାରିବା ସହିତ ମାଡ୍ରାସ, ତାମିଲନାଡୁରୁ ଗଛ ଆସି ଲାଗିଗଲାଣି। ସେଠାରେ ଏବେ ଏଏସ୍‌ଆଇ ଗୋଟେ ଡ୍ରାମା ଆରମ୍ଭ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, ଜଗନ୍ନାଥଙ୍କ ସୁରକ୍ଷା ସାଙ୍ଗକୁ ରାଜ୍ୟର ସଂସ୍କୃତି ଏବଂ ପରମ୍ପରାର ରକ୍ଷା କରିବା ମଧ୍ୟ ଆମ ଦାୟିତ୍ୱ। ମନ୍ତ୍ରୀଙ୍କ ସହିତ ମଧ୍ୟ ଏ ବିଷୟରେ ଆଲୋଚନା କରି ନିଶ୍ଚିତ ପଦକ୍ଷେପ ନେବୁ ବୋଲି ପ୍ରତାପ କହିଛନ୍ତି।

 

Share