ଖୋର୍ଦ୍ଧା ଅଫିସ,୩ା୪: ଖୋର୍ଦ୍ଧା ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଜିଲା ଗଠନ ହୋଇଥିବାବେଳେ ୧୯୯୫ରେ ଖୋର୍ଦ୍ଧା ସ୩ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ପାଇକ ବୀରଙ୍କ ମାଟି ଭାବେ ଖୋର୍ଦ୍ଧା ପରିଚିତ। ଭାରତୀୟ ସ୍ବାଧିନତା ସଂଗ୍ରାମରେ ଏହି ମାଟିର ଅବଦାନ ଅତୁଳନୀୟ। ତେବେ ଏଠାକାର ବରୁଣେଇ ପାହାଡ଼, ଗଡ଼ଖୋର୍ଦ୍ଧା, ନାଲିଗାମୁଛା ଭଳି ଐତିହ୍ୟର ପୁନରୁଦ୍ଧାର ପ୍ରତି ଧ୍ୟାନ ଦିଆଯାଉନାହିଁ। ରାଜଧାନୀ ଭୁବନେଶ୍ୱର ବ୍ୟତୀତ ଏହି ଜିଲାର ଅନ୍ୟ ଅଞ୍ଚଳରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଏହାର କାରଣ ବୋଲି କୁହାଯାଉଛି। ଜିଲାର ୩୦ ବର୍ଷ ପୂର୍ତ୍ତି ଅବସରରେ ଏ ନେଇ ଆତ୍ମଚିନ୍ତନ ଜରୁରୀ ହୋଇପଡ଼ିଛି।
ଜିଲାରେ ବରୁଣେଇ ପୀଠ ସମେତ ବହୁ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ବିଲୁପ୍ତ ହେବାକୁ ବସିଲାଣି। ପ୍ରୋତ୍ସାହନ ଅଭାବରୁ ବୟନ ଶିଳ୍ପୀମାନେ ପ୍ରସିଦ୍ଧ ନାଲି ଗାମୁଛା ତିଆରିରୁ ମୁହଁ ଫେରାଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମଠ, ମନ୍ଦିରର ବିକାଶ କରାଯାଉଥିବାବେଳେ ମହାପ୍ରଭୁଙ୍କ ଅନ୍ୟତମ ସୁପରିଚିତ ଲୀଳାକ୍ଷେତ୍ର ଜାଗୁଳାଇ ପାଟଣା ପ୍ରତି ସରକାର ଆଖି ବୁଜିଦେଇଥିବା ମନେହେଉଛି। ସେହିପରି ପାଇକ ସ୍ମାରକୀ ସ୍ବପ୍ନ ହୋଇ ରହିଛି। ଓଡ଼ିଆ ଜାତିର ଅସ୍ମିତା ହେଉଛି ପାଇକ ବିଦ୍ରୋହ। ଏହାକୁ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଏହାର ଦ୍ୱିଶତ ବାର୍ଷିକୀ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ବରୁଣେଇ ପାଦଦେଶରେ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ଏହାର ନିର୍ମାଣ ହୋଇପାରିନାହିଁ। ଶିକ୍ଷାର ପ୍ରସାର ପାଇଁ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଏଠାରେ ଏକ କଲେଜ ସ୍ଥାପନ ହୋଇଥିଲା। ସମ୍ପ୍ରତି ଏହା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଭାବେ ପରିଚିତ। ଏଠାରେ ୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ପୁରାତନ ଶିକ୍ଷାନୁଷ୍ଠାନର ଏକ ଗୌରବମୟ ଇତିହାସ ରହିଛି। ଏହି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟରେ ରୂପାନ୍ତର ହେବା ଲାଗି ସମସ୍ତ ଭିତ୍ତିଭୂମି ଥିଲେ ବି ମାନ୍ୟତା ପାଇପାରୁନାହିଁ। ଖୋର୍ଦ୍ଧା ସହରରେ କ୍ରୀଡ଼ା ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଉନ୍ନତମାନର ଷ୍ଟାଡିୟମ ନ ଥିବାରୁ ଖେଳାଳିମାନେ କ୍ରୀଡ଼ାରୁ ବଞ୍ଚିତ ହେଉଛନ୍ତି। ବହୁ ଖେଳାଳି ଖେଳରୁ ମୁହଁ ଫେରାଉଛନ୍ତି। ସେହିପରି ସହରର ବିକାଶ ଲାଗି ମାଷ୍ଟରପ୍ଲାନ ହେଉନାହିଁ। ଚାରିଆଡ଼େ ଉଠାଦୋକାନ ଓ କ୍ୟାବିନ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଉଠାଦୋକାନୀଙ୍କ ଉପଯୁକ୍ତ ଥଇଥାନ ସରକାରୀ ନାଲିଫିତା ତଳେ ଚାପିହୋଇ ରହିଛି। ଡ୍ରେନେଜ ଓ ପରିମଳ ମୁଖ୍ୟ ସମସ୍ୟା ପାଲଟିଛି। ଖୋର୍ଦ୍ଧା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନେକ ଅଧିକାରୀ ଓ କର୍ମଚାରୀ ଭୁବନେଶ୍ୱରରେ ରହୁଛନ୍ତି। ତେଣୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ଅନେକ କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ବହୁ ଖଣି ଓ ଶିଳ୍ପସଂସ୍ଥା ଥିଲେ ବି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ପର୍ଯ୍ୟଟନ ପ୍ରତି ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସରକାର ଅଧିକ ରାଜସ୍ବ ପାଇପାରନ୍ତେ। ମାତ୍ର ସେ ନେଇ ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉନାହିଁ। ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ତେଣୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଜିଲାରେ ଦ୍ରୁତ ବିକାଶ ଘଟୁଛି ଏବଂ ରାସ୍ତାଘାଟ, ପାନୀୟଜଳ, ଜଳସେଚନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା ଯୋଜନା କମିଟି ସଭାପତି ତଥା ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି। ଖୋର୍ଦ୍ଧାର ସର୍ବାଙ୍ଗୀନ ବିକାଶ ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳର ବିକାଶ ସହ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଉଥିବା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି। ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ପ୍ରକାଶ କରିଛନ୍ତି।