ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ

ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରିୟଦର୍ଶୀ ମିଶ୍ର। ୨୦୧୪-୧୯ ପର୍ଯ୍ୟନ୍ତ ସେ ବିଜେଡିରୁ ଉତ୍ତର ଭୁବନେଶ୍ୱରର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ପ୍ରିୟଦର୍ଶୀ ଦଳୀୟ ଟିକେଟ୍‌ ପାଇଁ ଆଶାବାଦୀ ଥିଲେ। ତେବେ ଦଳ ତାଙ୍କୁ ଭରସା ନ କରିବାରୁ ଅବହେଳାର ଶିକାର ହେଉଥିବା ଦର୍ଶାଇ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦୀର୍ଘ ବର୍ଷଧରି ସେ ରାଜନୈତିକ ଜୀବନରେ ଅଛନ୍ତି। ତେଣୁ ଲୋକଙ୍କ ସେବା କରିବା ତାଙ୍କର ପ୍ରାଥମିକତା ରହିଆସିଛି। ଚଳିତ ନିର୍ବାଚନରେ ଜିତିବା ପରେ ସେ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।

ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
୨୫ବର୍ଷର ବିଜେଡି ଶାସନରେ କେବଳ ଦୁର୍ନୀତି, ଭ୍ରଷ୍ଟାଚାର ମାଡ଼ି ଚାଲିଛି। ସେହିପରି ଉତ୍ତର ନିର୍ବାଚନମଣ୍ଡଳୀରେ କୌଣସି ବିକାଶ ହୋଇନାହିଁ। ଲୋକମାନେ କେତେବେଳେ ଭିଏସ୍‌ଏସ୍‌ ନଗର ଖରାପ ରାସ୍ତା ପାଇଁ ତ ଆଉ କେତେବେଳେ ଡମ୍ପିଂୟାର୍ଡରୁ ନିର୍ଗତ ଦୁର୍ଗନ୍ଧ ପାଇଁ ହନ୍ତସନ୍ତ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ କେବଳ ଉତ୍ତର ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ରାଜ୍ୟର ବିକାଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଦେଶରେ ବିକାଶର ଡବଲ ଇଞ୍ଜିନ୍‌ ଚାଲିବ।
ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
କେବଳ ନିର୍ବାଚନ ନୁହେଁ, ଏହା ପରେ ମଧ୍ୟ ମୁଁ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ରହିବି। ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ ହେବ। ଅନ୍ୟ ରାଜନେତାଙ୍କ ଭଳି କେବଳ ପ୍ରତିଶ୍ରୁତି ଦେଇ ବସିବି ନାହିଁ ବରଂ ତାକୁ ପୂରଣ ମଧ୍ୟ କରିବି।
କ’ଣ ପ୍ରତିଶ୍ରୁତି ଦେବେ?
ଉତ୍ତର ନିର୍ବାଚନମଣ୍ଡଳୀର ସବୁଠାରୁ ବଡ଼ ସମସ୍ୟା ହେଉଛି ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ। ତେଣୁ ନିର୍ବାଚନ ଜିତିବା ପରେ ୬ମାସ ମଧ୍ୟରେ ଡମ୍ପିଂୟାର୍ଡ ହଟାଇବି। ସେହିପରି ପ୍ରତି ବସ୍ତିବାସିନ୍ଦାଙ୍କୁ ୬ଶହ ବର୍ଗଫୁଟ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ୫ଟି ଗ୍ରାମରେ ଶୀତଳ ଭଣ୍ଡାର ସ୍ଥାପନ କରିବା, ପଞ୍ଚାୟତରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଏବଂ ଉଠାଦୋକାନୀଙ୍କ ସ୍ଥାୟିତ୍ୱ ମୋର ପ୍ରଥମ ଦାୟିତ୍ୱ ହେବ।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିଜେଡି ଶାସନରେ ଯେଉଁ ସ୍ବେଚ୍ଛାଚାରିତା ବଢ଼ିଚାଲିଛି, ସେନେଇ ସାଧାରଣ ଲୋକଙ୍କ ଆଖି ଖୋଲି ଗଲାଣି। ଯିଏ ସେମାନଙ୍କ ଭଲମନ୍ଦରେ ଠିଆହେବେ, ସେମାନଙ୍କ ସହିତ ଜଡ଼ିତ ହୋଇ ରହିବେ, ଲୋକମାନେ ସେଭଳି ଜଣେ ନେତାଙ୍କୁ ଚାହଁୁଛନ୍ତି। ଆଉ ଭାଜପା ସର୍ବଦା ଲୋକଙ୍କ ସହିତ ସାମିଲ ହୋଇ ରହୁଛି। ତେଣୁ ଲୋକମାନଙ୍କ ସମର୍ଥନ ନିଶ୍ଚିତ ଭାବେ ମୋ ସହ ରହିବ।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ରାଜନୈତିକ ଦଳ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ଲଢୁଛନ୍ତି। କିନ୍ତୁ ମଁୁ କାହାକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଲୋକମାନେ ଏବେ ପରିବର୍ତ୍ତନ ଚାହଁୁଛନ୍ତି, ସେମାନେ ଭାଜପାକୁ ସ୍ବତଃଭାବେ ସମର୍ଥନ ଜଣାଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଆଶା ରହିଛି।