କଟକ ଅଫିସ,୧୧ା୫: ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେବ। ରେଳ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ଡିଜିପି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି ା ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନଗୁଡ଼ିକର ସମନ୍ବୟ ବୈଠକ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଦିନରେ ସରକାରୀ ରେଲୱେ ପୋଲିସ ଭିତ୍ତିଭୂମିର ଆଧୁନିକୀକରଣ, ଗୁରୁତ୍ୱପୂର୍ଣ୍ଣ ରେଳଷ୍ଟେଶନ ଓ ଟ୍ରେନଗୁଡିକରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ବୟକୁ ଗୁରୁତ୍ୱ ଦିଆଯାଇଥିଲା। ଡିଜିପି ବଂଶଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଡିଜି ରେଳ ଓ ତଟ ସୁରକ୍ଷା ଡ. ସୁଧାଂଶୁ ଷଡ଼ଙ୍ଗୀ, କେନ୍ଦ୍ରୀୟ ରେଳ ସୁରକ୍ଷା ବାହିନୀ ତରଫରୁ ଆଇଆରପିଏଫଏସ୍ ଆଇଜି ଏନ୍.ସିହ୍ନା, ଆଇଆରପିଏଫ ଏସର ଆଇଜି ଡି. ବି. କସର୍, ପିସିଏସ୍ସି ଆଇଜି ଯୁଗୋଳ କିଶୋର ଯୋଶୀ, ଖୋର୍ଦ୍ଧା ଏଡିଆରଏମ୍ ଅଶୋକ କୁମାର, ଏମ୍.ଭି ସତ୍ୟ ନାରାୟଣ, ଅରୁଣ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।