ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

ଆଠଗଡ଼,୫।୮: କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ । କୋଭିଡ୍‌ ଗାଇଡ୍‌ଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନରେ କଟକଣା କୋହଳ କରିଥିଲେ। ତେବେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା ପ୍ରଶାସନ ଉପରେ ଏସ୍‌ଆରସି ଛାଡିଥିଲେ। ତେବେ ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲାପାଳ ଘୋଷଣା କରିଥିଲେ। ଗୁରୁବାର ମନ୍ଦିର ଖୋଲିବା ନେଇ ଆଠଗଡ଼ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା। ପରେ ବାବା ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ମନ୍ଦିର ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ଭିତରେ ଭୋଗ କରିବାକୁ ଅନୁମତି ଦିଆଯିବ ନାହିଁ। ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।