ହନୁମାନ ପଇସା ପାଇଁ ହତ୍ୟା କରିଥିଲେ ୪ ସାଙ୍ଗ

ଦେବଗଡ,୧୧ା୮(ଡି.ଏନ.ଏ):ଗତ ୫ ତାରିଖରେ ଦେବଗଡ ଥାନା ଅଧୀନ ରାଇତାଲ ଗାଁରେ ଥିବା ଏକ ଟ୍ରାନ୍ସଫର୍ମର ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହନୁମାନ ପଇସା ପାଇଁ ଉକ୍ତ ଯୁବକଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ କୃଷ୍ଣ କିସାନ। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝି, ଦୈତାରି କିସାନ ଏବଂ ପ୍ରଦୀପ ମାଝି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ, ବାଡ଼ି ଓ ମୁଗୁରା ସହ ମୃତକଙ୍କ ଘରୁ ଗୋଟିଏ ଅଷ୍ଟ୍ରେଲିଆନ ମୁଦ୍ରା ଜବତ କରାଯାଇଛି।
ଏସ୍‌ପି ରାଜକିଶୋର ପାଇକରାୟ ମଙ୍ଗଳବାର ଦେବଗଡ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଥିଲେ, ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମର ଫକୀର କିସାନଙ୍କ ପୁଅ କୃଷ୍ଣଙ୍କ ନିକଟରେ ହନୁମାନ ପଇସା ଥିବା ନେଇ କୃଷ୍ଣଙ୍କ ସାଙ୍ଗ ଉକ୍ତ ଗ୍ରାମର ଚାଣ୍ଡାଳୁ, ସୁରେନ୍ଦ୍ର, ଦୈତାରି ଓ ପ୍ରଦୀପ ଜାଣିଥିଲେ। ଏହି ହନୁମାନ ପଇସାକୁ କୃଷ୍ଣଙ୍କ ନିକଟରୁ ହାତେଇବା ପାଇଁ ସେମାନେ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ, ଗତ ୪ତାରିଖ ରାତି ପ୍ରାୟ ୮ଟା ସମୟରେ ଗାଁରେ ପୂଜା ସହ ବୈଠକ ହୋଇଥିଲା। ବୈଠକ ପରେ ଚାଣ୍ଡାଳୁ, ସୁରେନ୍ଦ୍ର, ଦୈତାରି ଏବଂ ପ୍ରଦୀପ କୃଷ୍ଣଙ୍କୁ ମାଛ ଧରିବାକୁ କହି ନିକଟସ୍ଥ ରାଇତାଳ ଗାଁକୁ ଡାକି ନେଇଥିଲେ। ରାତିରେ କୃଷ୍ଣ ଘରକୁ ଫେରି ନ ଥିଲେ ଏବଂ ପରଦିନ ଅର୍ଥାତ୍‌ ୫ତାରିଖ ଦିନ ପ୍ରାୟ ୧୧ଟା ସମୟରେ ପରିବାର ଲୋକେ ରାଇତାଳ ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫର୍ମର ତଳେ କୃଷ୍ଣଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତଦେହରେ କ୍ଷତଚିହ୍ନ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ହନୁମାନ ପଇସାକୁ ହାତେଇବା ପାଇଁ କୃଷ୍ଣଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଜାଣିବାକୁ ପାଇଥିଲା। ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଫଳରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଖବରଦାତା ସମ୍ମିଳନୀରେ ଡିଆଇବି ଡିଏସ୍‌ପି ପ୍ରଦୀପ କୁମାର କେରକେଟା ଓ ଥାନାଧିକାରୀ ସୁରେନ୍ଦ୍ର କୁମାର ନାଏକ ଉପସ୍ଥିତ ଥିଲେ।