ଦୁଇ ଦିନରେ ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ: ଜୁନାଗଡ଼ର ଏହି ୭ ଓ୍ବାର୍ଡ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ଜୁନାଗଡ,୧୫।୮(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ୨ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟରାତ୍ରିଠାରୁ ସହରର ୭ଟି ୱାର୍ଡକୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହିସବୁ ୱାର୍ଡରେ ବଜାରପଡା, ବଡପଡା, ତାଲବନ୍ଦପଡା, ବରଗଛପଡା, ମଧ୍ୟମପଡା, ମାରୱାଡିପଡା, ଗନ୍ତାୟତପଡା ଓ ବ୍ଲକ କଲୋନୀପଡା ଆଦି ରହିଛି। ଏହି କଟକଣା ସମୟରେ ଘରୁ କେହି ବାହାରକୁ ନ ବାହାରିବାକୁ ପଡାବାସୀଙ୍କୁ ଅନୁରୋଧ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ଆମ୍ବୁଲାନ୍ସ ତଥା ଜରୁରୀକାଳୀନ ଗାଡିକୁ ଛାଡି ଅନ୍ୟାନ ଯାନବାହାନ ଚଳାଚଳ ନିଷିଦ୍ଧ କରାଯାଇଛି। ଉପରୋକ୍ତ ଅଞ୍ଚଳର ୩କିମି ପରିସୀମାକୁ ବଫର ଜୋନ ଘୋଷଣା କରାଯାଇଛି। ଏହି ଜୋନରେ ଲୋକେ ସାମାଜିକ ଦୂରତା ମାନି ଚଳିବା ସହ କେବଳ ଜରୁରୀକାଳୀନ ଦୋକାନ ଗୁଡିକ ଖୋଲାରହିବ ବୋଲି ସୁଚନା ଦିଆଯାଇଛି।

ପ୍ରକାଶ ଯେ,ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ କଳାହାଣ୍ଡି ଜିଲାପାଳ ଡା.ଗାଭାଲି ପରାଗ ହର୍ଷଦ ବୁଧବାର ୧୨ ଓ ଗୁରୁବାର ୧୩ ତାରିଖ ଜୁନାଗଡ ସହରକୁ ଶଟ୍‌ଡାଉନ କରିବା ସହ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ବୁଧବାର ଶଟ୍‌ଡାଉନର ପ୍ରଥମ ଦିନରେ ଆଣ୍ଟିଜେନ କିଟ୍‌ରେ ୩୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ଗୁରୁବାର ଶଟ୍‌ଡାଉନର ଦ୍ୱିତୀୟ ଦିନରେ ୧୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଯାହାଫଳରେ ୨ଦିନକୁ ମିଶାଇ ସହରରେ ପଜିଟିଭ ସଂଖ୍ୟା ୫୨କୁ ପହଞ୍ଚିଥିଲା।

Share