ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ

ଦେବଗଡ଼, ୩୦।୪ (ଡି.ଏନ୍‌.ଏ.) ଦେବଗଡ଼ ସହରସ୍ଥିତ କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ। ବାରମ୍ବାର ଉଚ୍ଛେଦ ପାଇଁ ଆସି ବିଭିନ୍ନ ଆଳ ଦେଖାଇ ଫେରିଯାଉଛନ୍ତି। ଶୁକ୍ରବାର ପୁଣି ଉଚ୍ଛେଦ ପାଇଁ ଆସି ଫେରିଯାଇଥିବା ଜଣାପଡ଼ିଛି। ଗତ ମାର୍ଚ୍ଚ ୩ରେ ଉଚ୍ଛେଦ କରିବା ପାଇଁ ଆସିଥିଲେ। କିନ୍ତୁ ଜିଲା ପ୍ରଶାସନ ଲୋକଙ୍କୁ ଭୂୟାଁ ବୁଲାଇ ଜେସିବି ମିଳିଲା ନାହିଁ କହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିଦେଇଥିଲେ। ପୁଣି ୧୮ତାରିଖ ପୋଲିସ, ମାଜିଷ୍ଟ୍ରେଟ, ପୌର ପରିଷଦ ଅଧିକାରୀମାନେ ଉଚ୍ଛେଦ ପାଇଁ ଆସିଥିଲେ। କିନ୍ତୁ ଉଚ୍ଛେଦ କାମ ଅଧାରୁ ଖରା ବାହାନାଦେଖାଇ ପୁଣି ଫେରି ଆସିଥିଲେ। ପୁଣି ଶୁକ୍ରବାର ୨୮ ତାରିଖ ଆସିଥିଲେ। କିନ୍ତୁ ପୌର ନିର୍ବାହୀ ଅଧିକାରୀ ଆସିଲେ ନାହିଁ ବୋଲି ଫେରିଯାଇଥିଲେ। କଣ ପାଇଁ ଏମିତି କରୁଛି ଜିଲା ପ୍ରଶାସନ ତାହା ଏବେ ସନ୍ଦେହ ଘେରରେ। ଜବରଦଖଲକାରୀ ଜିଲା ପ୍ରଶାସନକୁ ଭକୁଆ କରୁଛନ୍ତି ବୋଲି କୁହାଯାଉଛି।
ପ୍ରକାଶ ଯେ, ଷୋହଳ ବଖରି କଟା ଉନ୍ନତିକରଣ କରାଯାଉଛି। ଏଥିପାଇଁ ଏରିଆ ଚିହ୍ନଟ କରାଯାଇଛି। ଏହାର ପାଖାପାଖି ୨ରୁ ଊର୍ଦ୍ଧ୍ୱ ଏକର ଜବରଦଖଲ କରାଯାଇଛି। ଏଥିରେ ଜବରଦଖଲକାରୀ ଘର, ବଗିଚା, ପାଇଖାନା କରି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଜବରଦଖଲକାରୀ ଜାଗା ଛାଡ଼ିବାକୁ ଇଛା ପ୍ରକାଶ କରୁନାହାନ୍ତି। ପ୍ରଶାସନ ତରଫରୁ ଉଚ୍ଛେଦ ପାଇଁ ୩ଥର ଆସି ଫେରିଯିବା ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରା ନ ଯାଏ ତାହା ହେଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉକ୍ତ ଷୋହଳ ବଖରି କଟା ଉନ୍ନତିକରଣ ପାଇଁ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ଫଳରେ ସହରବାସୀ ଖୁସି ଥିବାବେଳେ ଉକ୍ତ କଟା କାମଟି ଶେଷ ହୋଇପାରୁନି। କାମଟି ଯେତେ ଶୀଘ୍ର ହେବ ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି ଚର୍ଚ୍ଚା ହେଉଛି।