ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ହସ୍ତକ୍ଷେପ କରି ଅଭିଯୁକ୍ତ ଏଯାଏ ଗିରଫ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ୧୮ା୪ା୨୨ ସୁଦ୍ଧା ଏହି ଘଟଣାର ଏକ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରିବାକୁ କମିଶନର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।
ସତୀଗୁଡା ଜଳଭଣ୍ଡାର ନିକଟରୁ ପିଏ ପଣ୍ଡାଙ୍କ ମୃତଦେହ ଉଦ୍ଧାର ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ସ୍ବର୍ଗତଃ ପଣ୍ଡାଙ୍କ ସ୍ତ୍ରୀ ବନଜା ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଅଭିଯୋଗର ଶୁଶାଣି କରି କମିଶନ କ୍ଷୋଭ ପ୍ରକାଶ କରି ଏହି ମାମଲାରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଥରେ ହେଲେ ଜେରା କରିନାହିଁ। ସମସ୍ତ ଅଭିଯୁକ୍ତଙ୍କ କଲ ଡିଟେଲସର ରେକର୍ଡ କାହିକି ସଂଗ୍ରହ କରାଯାଇନାହିଁ ବୋଲି କମିଶନ ଜାଣିବାକୁ ଚାହିଁଛନ୍ତି। ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ତଥ୍ୟ ଶୀଘ୍ର ଜଣାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।