ଗଞ୍ଜାମବାସୀଙ୍କ ମଙ୍ଗଳକାମନା କଲେ ଜିଲାପାଳ: ମା’ ତାରାତାରିଣୀଙ୍କୁ ଚଢ଼ାଇଲେ ଲକ୍ଷେ ୮ ବେଲପତ୍ର

ପୁରୁଷୋତ୍ତମପୁର,୧୧।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଶ୍ୱର କଲ୍ୟାଣ ଲାଗି ବିଶ୍ବଶାନ୍ତି ମହାଯଜ୍ଞ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାତିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପହଞ୍ଚି ପୂର୍ଣ୍ଣାହୁତିରେ ଯୋଗଦେଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ପୂଜାର୍ଚ୍ଚନାକରି ବେଲପତ୍ର ଚଢାଇଥିଲେ। ସମଗ୍ର ଗଞ୍ଜାମବାସୀଙ୍କ ମଙ୍ଗଳକାମନା କରିବା ସହ ସମାଜର ମଙ୍ଗଳ କାମନା କରିଥିଲେ। ଜିଲା ବ୍ରାହ୍ମଣ ପୂରୋହିତ ସମିତି ଓ ତାରାତାରିଣୀ ସେବାୟତସଂଘ ପକ୍ଷରୁ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ମା’ ତାରାତାରିଣୀଙ୍କୁ ପ୍ରଥମେ ଲକ୍ଷେ ୮ ବେଲପତ୍ର ଚଢାଯିବା ପରେ ଘୃତଯଜ୍ଞ ଓ ଅନ୍ନଯଜ୍ଞ ହୋଇଥିଲା । ବିଶ୍ବର କଲ୍ୟାଣ କରିବା ଓ ପ୍ରାକୃତିକ ବିପର୍ଯ୍ୟୟରୁ ବିଶ୍ବକୁ ରକ୍ଷାକରିବା ସହ ସମସ୍ତଙ୍କୁ ନିରୋଗୀ ରଖିବା ପାଇଁ ବ୍ରାହ୍ମଣ ଓ ସେବାୟତ ମାନେ ମା’ଙ୍କୁ ଆରାଧନା କରିଥିଲେ । ଏଭଳି ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା । ଏଥିରେ ଜିଲା ପୂରୋହିତ ସମିତର ସଭାପତି ପଣ୍ଡିତ ନୀଳମାଧବ ତ୍ରୀପାଠୀ, ସେବାୟତ ବାପୁଜି ରଣା, ତପନ ରଣାଙ୍କ ସମେତ ବହୁ ପଣ୍ଡିତ ବ୍ରାହ୍ମଣ ଓ ସେବାୟତମାନେ ସାମିଲ ହୋଇଥିଲେ।