ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଥିଲା। ଜିଲା ପ୍ରଶାସନ କେବଳ ନୟାଗଡ଼ ସହରକୁ ଜଗିଥିବା ବେଳେ ଗ୍ରାମାଞ୍ଚଳକୁ ଆଦୌ ଧ୍ୟାନ ଦେଇ ନ ଥିଲା। ଏପରିକି ଓ ବ୍ଲକ ଓ ତହସିଲ ଅଞ୍ଚଳରେ ରାତିରେ କୌଣସି ଉତ୍ତରଦାୟୀ ଅଧିକାରୀ ରହୁ ନ ଥିବାରୁ ସବୁକିଛି ଏଠାରେ ଢିଲା ଚାଲିଥିଲା। ହେଲେ ସୁନାମୁହିଁରୁ ଜଣେ ଇଟା ବ୍ୟବସାୟୀ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରୁ ସ୍ବାବ୍‌ ଟେଷ୍ଟ ପରେ ତାଙ୍କ ପରିବାର ସମେତ କୁରାଳ ସଙ୍ଗରୋଧରୁ ସମୁଦାୟ ୧୫ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ଜିଲାପାଳ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଓ ଏନ୍‌ଏସି ସମେତ ସୁନାମୁହିଁ, ଗିରିଡ଼ିପଲି, କୁରାଳ, ପାଣ୍ଡେରିପଡ଼ା ଓ କୋମଣ୍ଡ ପଞ୍ଚାୟତର କେତେକ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା କରିଛନ୍ତି । ସେହିପରି ସୁନାମୁହିଁ, କୁରାଳ, ଗିରିଡିପଲି, ପାଣ୍ଡେରିପଡ଼ା, ରବିଗାଡ଼ିଆ, ପନ୍ତୀଖାରି ଓ ରଙ୍ଗଣୀପାଟଣା ପଞ୍ଚାୟତରେ ୧୩ ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରଯାଇଥିବା ଜିଲାପାଳ ଏକ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନିକସ୍ତରରେ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Share