ଜିଲା ମୁଖ୍ୟ ଚିକିତ୍ସାଳୟରେ ସରଞ୍ଜାମ ଅଭାବ

କେନ୍ଦୁଝର,୨୪ା୭(ନରେଶ ପଟ୍ଟନାୟକ):  କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରୀବ ରୋଗୀମାନେ ବାହାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ଫାଇଦା ଘରୋଇ ନର୍ସିଂହୋମ, ମେଡିକାଲଗୁଡ଼ିକ ଉଠାଉଛନ୍ତି। ସେହିପରି ବହୁ ଦାମୀ ମେଡିସିନ କିଣାଯାଇଛି କିନ୍ତୁ ସେସବୁ ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।
ଦୃଷ୍ଟାନ୍ତ ସ୍ବରୂପ ଅସ୍ଥିଶଲ୍ୟ ବିଭାଗରେ ଅପରେସନ ପାଇଁ ସି ଆର୍ମ ମେସିନ ରହିଥିଲେ ହେଁ ଏହାର ବ୍ୟବହାର ପାଇଁ ଟେବୁଲ ନାହିଁ। ଫଳରେ ଏହି ମୂଲ୍ୟବାନ ମେସିନ ବ୍ୟବହାର ହୋଇପାରୁନାହିଁ। ଏହି ମେସିନରେ ରୋଗୀର ଶରୀରର ଶିରାପ୍ରସିରା ଓ ମାଂଶପେଷୀକୁ ଦେଖାଯାଇଥାଏ। ସେ ଅନୁଯାୟୀ ଠିକ୍‌ ଶିରା ବା ମାଂଶପେଷୀରେ ଇଞ୍ଜେକ୍ସନ ଦିଆଯାଇଥାଏ। ସେହିପରି ଅପରେସନ ଦ୍ୱାରା ହାଡ଼ ଯୋଡ଼ିବା ପାଇଁ ଆବଶ୍ୟକ ସ୍କୃ, ପ୍ଲେଟ୍‌ ଆଦି ସରଞ୍ଜାମ ନାହିଁ। ସିଟି ସ୍କାନ୍‌ ଓ ଡାଇଲିସିସ ଓ୍ବାର୍ଡକୁ ଯିବା ପାଇଁ ଥିବା ହ୍ବିଲ୍‌ ଚେୟାର ଭାଙ୍ଗିଯାଇଛି। ସଜଡ଼ା ଯାଉ ନ ଥିବାରୁ ବିଶେଷ କରି ଗୁରୁତର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅକଥନୀୟ ଅସୁବିଧା ଭୋଗୁଛନ୍ତି। ବାହାରୁ ସିଟି ସ୍କାନ କେନ୍ଦ୍ର ତଥା ଡାଇଲିସିସ ଓ୍ବାର୍ଡକୁ ଯିବାକୁ ରୋଗୀଙ୍କୁ ଟେକି ଟେକି ନେବାକୁ ପଡୁଛି। ଜିଲାରେ ଅର୍ଥାଭାବ ନ ଥିବା ବେଳେ ଏଭଳି ଅବସ୍ଥାର ସମାଧାନ କରି ଗରୀବ ଲୋକଙ୍କୁ ସହାୟତା ଦେବାକୁ ସାମାଜିକ କର୍ମୀ ଦୀପକ ପତି ଦାବି କରିଛନ୍ତି। ସିଡିଏମ୍‌ଓ ଡାକ୍ତର କେ.ସି. ପୃଷ୍ଟି କହିଛନ୍ତି, ଯେଉଁ ସବୁ ମେସିନ କାମ କରୁନାହିଁ ସେସବୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଜରୁରୀ ଓ ଆବ୍ଯଯକ ସରଞ୍ଜାମ କିଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

Share