ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆପଡା ଜିଲା ବୋଡେନ ଥାନା ପଲସଦା ଗାଁର ଶ୍ରୀନିବାସ ବେହେରା ୨୦୦ ଜଣଙ୍କ ଲେବର କାର୍ଡ କରାଇବା ପାଇଁ ଜିଲା ଶ୍ରମ ଅଧିକାରୀ ପାଣିଗ୍ରାହୀଙ୍କୁ କହିଥିଲେ। କାର୍ଡ ପ୍ରତି ସରକାରୀ ଦର ୭୦ ଟଙ୍କା ହିସାବରେ ୧୪ ହଜାର ଟଙ୍କା ଡିପୋଜିଟ କରିବା କଥା । କିନ୍ତୁ ଜିଲା ଶ୍ରମ ଅଧିକାରୀ ତାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶୁକ୍ରବାର ଅଫିସରେ ସେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତିକିବେଳେ ପୂର୍ବରୁ ଜଗିରହିଥିବା ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଗିରଫ କରି ୪୦ ହଜାର ଟଙ୍କା ଜବତ କରିଥିଲେ।