Categories: ଜାତୀୟ

ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି

ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ଯାହା ଘଟିଥିଲା ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

ଶୁକ୍ରବାର ପୂର୍ବାହ୍ନରେ ମଝୋଲା ଥାନା ଅଞ୍ଚଳର ଶ୍ରୀକେଶ ନାମକ ଜଣେ ବ୍ୟକ୍ତିଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସିଏମ୍‌ଏସ୍‌ ଡାକ୍ତର ଶିବ ସିଂହ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ମର୍ଚରୀକୁ ପଠାଇଥିଲା। ସେଠାରେ ଶ୍ରୀକେଶ ନିଃଶ୍ୱାସ ପ୍ରଶ୍ୱାସ ନେଇଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ।

ଡାକ୍ତର ସିଂହଙ୍କ କହିବାନୁଯାୟୀ, ପରିବାର ଲୋକ କୁହନ୍ତି ଶ୍ରୀକେଶଙ୍କୁ ଜିଲା ହସ୍ପିଟାଲ ଆଣିବା ପୂର୍ବରୁ ଆଉ ଦୁଇଟି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଶ୍ରୀକେଶଙ୍କୁ ବି ମୃତ ଘୋଷଣା କରିଥିଲେ। ପରେ ସେମାନେ ଜିଲା ହସ୍ପିଟାଲକୁ ଆଣିଥିଲେ। ଏଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମନୋଜ ଯାଦବ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରୁମ୍‌ରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚି ସମସ୍ତ ଘଟଣାର ଯାଞ୍ଚ କରୁଛି।

Share