ଚୁଡ଼ି ପାଇଁ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି। ଚୁଡି ପିନ୍ଧିଥିବାରୁ ରୋଗୀଙ୍କ ଭଙ୍ଗା ହାତକୁ ପ୍ଲାଷ୍ଟର ନ କରି ଡାକ୍ତର ଫେରାଇ ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ହସ୍ପିଟାଲରେ ଚୁଡି ଭାଙ୍ଗିବାକୁ ବ୍ୟବସ୍ଥା ରହିଥିବାବେଳେ ଡାକ୍ତରଙ୍କ ଖାମଖିଆଲି ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଶବିବାର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ସୁକାନ୍ତି ସାହୁଙ୍କ ହାତ ଭାଙ୍ଗିଯାଇଥିଲା। ରାତିରେ ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ଏମର୍ଜେନ୍ସିରେ ନର୍ମାଲ ବ୍ୟାଣ୍ଡେଜ କରାଇ ରବିବାର ଆସି ଏକ୍ସରେ ଓ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ରବିବାର ସକାଳ ୬ଟାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଏକ୍ସରେ ହେଲା। ହେଲେ ଚୁଡ଼ି ନ ଖୋଲି ଆସିଲେ ଆମେ ପ୍ଲାଷ୍ଟର କରିବୁନି ବୋଲି ଡାକ୍ତର କହିଥିବା ସମ୍ପୃକ୍ତ ଆହତ ମହିଳାଙ୍କ ଝିଅ ସରଳରେଖା ସାହୁ କହିଛନ୍ତି। ସେ କୁହନ୍ତି, ଆପଣଙ୍କ ପାଖରେ ଉପକରଣ ଥିବ, ଆପଣ ଚୁଡ଼ି କାଟି ପ୍ଲାଷ୍ଟର କରି ଦିଅନ୍ତୁ ବୋଲି ଯେତେ ନେହୁରା ହୋଇ ଥିଲେ ମଧ୍ୟ ଡାକ୍ତର ମନା କଲେ। କହିଲେ, ଯୁକ୍ତି କର ନାହିଁ। ବଣିଆ ଦୋକାନ ନେଇଯାଅ। ସେଠାରୁ ଚୁଡ଼ି କାଟି ଆସିଲେ ପ୍ଲାଷ୍ଟର କରାଯିବ। ଏମିତି କହି ଆମକୁ ଫେରାଇ ଦେଲେ ବୋଲି ସରଳରେଖା ଅଭିଯୋଗ କରିଛନ୍ତି।
ଏସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ପ୍ଲାଷ୍ଟର ଉଦ୍ଦେଶ୍ୟରେ ଚୁଡ଼ି କାଢ଼ିବା ପାଇଁ ଏଠି ବ୍ୟବସ୍ଥା ରହିଛିଣ୍‌। ଡାକ୍ତର ଏଥିପାଇଁ ମନା କରିବା ଯୁକ୍ତିଯୁକ୍ତ ନୁହେଁ। ଏହି ଘଟଣାର ତଦନ୍ତ କରାଯିବ।

Share