ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମାଲିକ

କାନପୁର,୧୭।୩: ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି। ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଏହି ମାମଲା ଭାଇରାଲ ହେବାପରେ ପୋଲିସ ସକ୍ରିୟ ହୋଇଯାଇଥିଲା।
ଜୁହି ଡିପୋ ନିବାସୀ ଶ୍ୟାମସାଦ ଅହମ୍ମଦ ପୋଲିସକୁ କହିଛନ୍ତି ଯେ, ମାର୍ଚ୍ଚ ୧୦ରେ ଏକ ଶୁଆ ତାଙ୍କ ଘର ଛାତ ଉପରେ ଅବତରଣ କରିଥିଲା। ସେତେବେଳେ ଶୁଆଟି ଅସୁସ୍ଥ ଥିଲା। ତାର ଚିକିତ୍ସା ପାଇଁ ହନୁମନ୍ତ ବିହାର ସ୍ଥିତ ପେଟ୍‌ କ୍ଲିନିକକୁ ନିଆଯାଇଥିଲା। ଶୁଆଟିକୁ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଖାଇବାକୁ ଦିଆଯାଉଥିଲା। ଔଷଧ ଖାଇବା ପରେ ତାର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ବୁଧବାର ରାତିରେ ତାର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳାରୁ ଶୁଆଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ପୋଲିସ ଶୁଆକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଛି। ପୋଲିସର ସୂଚନାନୁସାରେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share