ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼

କଟକ ଅଫିସ,୨୨ା୨:ଏସ୍‌ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ ଗ୍ରାମର ସମ୍ପୃକ୍ତ ଆଶାକର୍ମୀ ସୋମବାର ଏସ୍‌ସିବି ମେଡିକାଲ ପରିସରସ୍ଥ ଫାଣ୍ଡିରେ ଏ ନେଇ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜନୈକା ଆଶାକର୍ମୀ ଜଣେ ମହିଳା ରୋଗୀଙ୍କୁ ବ୍ରହ୍ମଗିରିର ନୂଆଗାଁ ରେବଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ କଟକ ଆଣି
ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ରବିବାର ସନ୍ଧ୍ୟାରେ ରୋଗୀଙ୍କ ରକ୍ତ ସମସ୍ୟା ସମ୍ପର୍କରେ ନର୍ସ ଓ ଡାକ୍ତରଙ୍କୁ ସମ୍ପୃକ୍ତ ଆଶାକର୍ମୀ ଜଣାଇଥିଲେ। ଏହାକୁ ନେଇ ବଚସା ହେବାରୁ ସେଠାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏଭଳି ଘଟଣା ଏହି ମେଡିକାଲରେ ନୂଆ କଥା ନୁହେଁ। ପୂର୍ବରୁ ବିଭିନ୍ନ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମେଡିକାଲର କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବାର ନଜିର ରହିଛି। ଗାଁ ଓ ସହରାଞ୍ଚଳରେ ସେବା ପାଇଁ ଆଶାକର୍ମୀଙ୍କୁ ସରକାର ନିୟୋଜିତ କରିବା ସହ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଥିଲେ ମଧ୍ୟ ସେମାନଙ୍କ ପ୍ରତି ଏଭଳି ବ୍ୟବହାର ନିନ୍ଦନୀୟ ବୋଲି ଓଡ଼ିଶା ଆଶାକର୍ମୀ ସଂଘର ଉପଦେଷ୍ଟା ବସନ୍ତ କୁମାର ସାହୁ କହିଛନ୍ତି। ଏଥିସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ଲୁସି ଦାସ କହିଛନ୍ତି, ତାଙ୍କ ପାଖକୁ ଲିଖିତ ଅଭିଯୋଗ ଆସିନାହିଁ। ବିଭାଗୀୟ ମୁଖ୍ୟଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବେ।

Share