Categories: ଜାତୀୟ

ରକ୍ତରେ ଜୁଡୁବୁଡୁ ଥିଲେ ଡାକ୍ତର, ମୁଁ ଡରିକି ପଳାଇ ଗଲି, ସଞ୍ଜୟଙ୍କ ନୂଆ ଦାବି

କୋଲକାତା,୨।୯: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଏଥିରେ ତାଙ୍କୁ ଫସାଇ ଦିଆଯାଉଛି।
ଗୋଟିଏ ପଟେ ସଞ୍ଜୟ ନିଜକୁ ନିର୍ଦ୍ଦୋଷ କହୁଥିବା ବେଳେ ଏବେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଏହି ମାମଲାର ତଦନ୍ତ ସିବିଆଇ କରୁଛି। ଏହି ମାମଲାରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି। ଏବେ ପଶ୍ଚିମବଙ୍ଗ ଡାକ୍ତର ଫୋରମର ଉପଦେଷ୍ଟା ଡାକ୍ତର କୌଶିକ ଲାହିରି ରବିବାର କହିଛନ୍ତି ଯେ ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ପୀଡିତା ଅନେକ କିଛି ଜାଣିଥିଲେ ଏବଂ ଚୁପ ରହିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ଲାହିରି କହିଛନ୍ତି, ସେ କ’ଣ ପାଇଁ ସଂଘର୍ଷ କରୁଛନ୍ତି ସେ ସବୁବେଳେ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ଏକୁଟିଆ ନଥିଲେ। ଅନେକ ଯୁବକ ଓ ବରିଷ୍ଠ ଡାକ୍ତର ମଧ୍ୟ ସମାନ ଅପରାଧର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ନିରବତାର ସହ ସହି ଯାଇଥିଲେ। ଝିଅଟି ଚେଷ୍ଟା କରିଥିଲା ତା’ର ନୀରବତା ଭାଙ୍ଗିବାକୁ। ହେଲେ ତାହା ବୋଧହୁଏ ସମ୍ଭବ ହେଲାନାହିଁ।
ଏପଟେ ଅଭିଯୁକ୍ତ ସଞ୍ଜୟ ମହିଳା ଡାକ୍ତରଙ୍କ ହତ୍ୟାକାରୀ ନୁହଁନ୍ତି ବୋଲି ବାରମ୍ବାର କହି ଆସୁଛନ୍ତି। ସେ ରକ୍ତରେ ଭିଜୁଥିବା ଶରୀରକୁ ଦେଖିବା ପରେ ସେଠାରୁ ପଳାଇ ଯାଇଥିବା ଏବେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ପୁଣି ପ୍ରଶ୍ନ ଉଠିଛି।
ପଲିଗ୍ରାଫ ପରୀକ୍ଷାରେ ସଞ୍ଜୟ ଦାବି କରିଛନ୍ତି ଯେ ଡାକ୍ତରଖାନାର ସେମିନାର ହଲରେ ଟ୍ରେନି ଡାକ୍ତର ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ସଞ୍ଜୟ କହିଛନ୍ତି ଯେ ସେ ତାଙ୍କୁ ଅଗଷ୍ଟ ୯ରେ ସେମିନାର ହଲରେ ରକ୍ତରେ ଜୁଡୁବୁଡୁ ହୋଇ ପଡିଥିବାର ଦେଖିଥିଲେ। ସୂଚନା ଅନୁଯାୟୀ ସଞ୍ଜୟ ରୟ ଦାବି କରିଛନ୍ତି ଯେ ଡାକ୍ତର ରକ୍ତରେ ଜୁଡୁବୁଡୁ ହୋଇ ପଡିଥିବା ଦେଖିବା ପରେ ସେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ।

Share