Categories: ଜାତୀୟ

ପୁନିତଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସୁରକ୍ଷା ଲୋଡା

ବେଙ୍ଗାଲୁରୁ,୭।୧୧: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଅକାଳେ ପୁନିତ ଆଖି ବୁଜିଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପୁନିତଙ୍କ ମୃତ୍ୟୁ ପାଇଁ ତାଙ୍କ ଫ୍ୟାମିଲି ଡାକ୍ତର ରମନ ରାଓଙ୍କୁ ଦାୟୀ କରିଛନ୍ତି ପ୍ରଶଂସକ। ଏପରିକି ପୁନିତଙ୍କ ପ୍ରଶଂସକ ଡାକ୍ତର ରମନ ରାଓଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆକ୍ଷେପମୂଳକ ମନ୍ତବ୍ୟ ଦେଉଛନ୍ତି। ତେଣୁ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି କର୍ନାଟକର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଘ (PHANA) ।
ସୂଚନାଯୋଗ୍ୟ, ଅକ୍ଟୋବର ୨୯ ତାରିଖରେ ପୁନିତ ହୃଦଘାତର ଶିକାର ହୋଇଥିବା ଦିନ ରାମନା ରାଓଙ୍କୁ ତାଙ୍କ କ୍ଲିନିକରେ ଭେଟିଥିଲେ। ପୁନିତ ମାତ୍ର ୪୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ। ତାଙ୍କ ହଠାତ୍‌ ମୃତ୍ୟୁ ପ୍ରଶଂସକଙ୍କୁ ଝଟ୍‌କା ଲାଗିଛି।

Share