ଶ୍ୱଶୁର ଘରେ ବେଡସିଟ୍‌ ବାନ୍ଧି ଫ୍ୟାନ୍‌ ହୁକରେ ଝୁଲିପଡ଼ିଲେ ଡାକ୍ତର ଜ୍ୱାଇଁ

ବ୍ରହ୍ମପୁର,୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରରେ ରବିବାର ରାତିରେ ଜଣେ ଡାକ୍ତର ତାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଡା. ସୁରେନ୍ଦ୍ର କୁମାର ରଥ(୫୧)। ସୁରେନ୍ଦ୍ରଙ୍କ ଘର ରାୟଗଡ଼ା ଜିଲାରେ ହୋଇଥିବା ବେଳେ ସେ ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ବିଭାଗରେ କାର୍ଯ୍ୟରତ ଥିଲେ। କୌଣସି ଏକ ଘରୋଇ ଅଶାନ୍ତିରୁ ଡାକ୍ତର ସୁରେନ୍ଦ୍ର ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି।
ପ୍ରକାଶ ଯେ, ଡାକ୍ତର ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ନିଲମ ରଥ ଓ ପୁଅଙ୍କୁ ଧରି ପାରଳାଖେମୁଣ୍ଡିରେ ରହୁଥିଲେ। ଗତ ୧ ତାରିଖରେ ସେ ସପରିବାର ଶ୍ୱଶୁର ଘର ହଳଦିଆପଦର ଓଭରବ୍ରିଜ ଓମ ବିହାର ନିକଟ ଶକ୍ତିନଗରକୁ ଆସିଥିଲେ। କୌଣସି ଏକ କାରଣକୁ ନେଇ ସ୍ତ୍ରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ରବିବାର ରାତିରେ ଖାଇ ସାରିବା ପରେ ସୁରେନ୍ଦ୍ର ଓ ତାଙ୍କ ପୁଅ ଗୋଟିଏ ଘରେ ଶୋଇଥିଲେ। ସୋମବାର ସକାଳେ ବାପାଙ୍କୁ ପାଖରେ ନ ପାଇ ପୁଅ ଚିତ୍କାର କରିଥିଲେ। ଏହାଶୁଣି ଡାକ୍ତରଙ୍କ ସ୍ତ୍ରୀ ଘର ଭିତରକୁ ଯାଇ ଦେଖନ୍ତି ସ୍ବାମୀ ବେକରେ ବେଡସିଟ ବାନ୍ଧି ଫ୍ୟାନ୍‌ ହୁକରେ ଝୁଲୁଥିବା ଦେଖିଥିଲେ। ସେ କାଳେ ବଞ୍ଚିଥିବେ ଭାବି ସ୍ତ୍ରୀ ଓ ଘରର ଅନ୍ୟ ସଦସ୍ୟମାନେ ବେଡସିଟ୍‌ କାଟି ମୃତଦେହକୁ ତଳକୁ ଆଣିଥିଲେ। ସେତେବେଳକୁ ଡାକ୍ତର ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟି ସାରିଥିଲା। ପରେ ପରିବାର ଲୋକ ଏ ନେଇ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଉକ୍ତ ଘରୁ କଟୁରି ଓ ଦୁଇଖଣ୍ଡ ହୋଇଥିବା ବେଡ଼ସିଟକୁ ମଧ୍ୟ ଜବତ କରାଯାଇଛି। ସୁରେନ୍ଦ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏ ନେଇ ନଂ.୨୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।