କୁକୁରମାନେ ମଣିଷର ସର୍ବୋତ୍ତମ ବନ୍ଧୁ ଏକଥା ସମସ୍ତେ ଜାଣିଛନ୍ତି। ସେମାନେ ସର୍ବଦା ନିଜ ମାଲିକଙ୍କ ପାଖରେ ରହିବାକୁ ପସନ୍ଦ କରନ୍ତି। ଛୋଟ ପିଲାମାନଙ୍କ ପରି ତାଙ୍କର ଯତ୍ନ ନେବାକୁ କୁକୁରମାନେ ଅଧିକ ପସନ୍ଦ କରନ୍ତି। କିନ୍ତୁ ଯେତେବେଳେ ମାଲିକଙ୍କ କିଛି ଜରୁରୀ କାମରେ ବାହାରକୁ ଯିବାକୁ ପଡ଼େ, ସେତେବେଳେ ସେ କୁକୁରମାନଙ୍କ ଦେଖାଶୁଣା କରିବା ପାଇଁ ନିଜ ସମ୍ପର୍କୀୟ କିମ୍ବା ସାଙ୍ଗମାନଙ୍କ ପାଖରେ ଛାଡ଼ି ଯାଇଥାନ୍ତି। କିନ୍ତୁ ଜଣେ ମାଲିକ କୁକୁରକୁ ଏକାକୀ ଘରେ ଛାଡ଼ି ଯାଇଥିବାରୁ ସେ କିପରି ନିଆଁ ଲଗାଇ ଦେଇଛି ତାହା ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।
ଘରର ଲୋକମାନେ କିଛି କାମ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ କୁକୁରଟି ଘରେ ଏକୁଟିଆ ଥିଲା। କୁକୁରଟି ଏକାକୀ ଘରର ରୋଷେଇ ଘରକୁ ଯାଇ ଗ୍ୟାସ ଟର୍ନ ଅନ କଲା। ଏହା ପରେ କୁକୁରଟି ସେଠାରୁ ଚାଲିଗଲା କିନ୍ତୁ କିଛି ସମୟ ପରେ ରୋଷେଇ ଘରେ ନିଆଁ ଲାଗିଗଲା। ଏପରି ଘଟଣା ଆମେରିକାର ମିସୋରୀରେ ଘଟିଛି। ପୂରା ଘଟଣା ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ କୁକୁରଟି କିପରି ରୋଷେଇ ଘରକୁ ଯାଇ ଗ୍ୟାସ ଟର୍ନ କରି ନିଆଁ ଲଗାଉଥିବା ଦେଖିବାକୁ ମିଳିଛି।
ଘରୁ ଧୂଆଁ ବାହାରିବା ପରେ ପଡ଼ୋଶୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହା ପରେ କୁକୁରକୁ ଘରୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କହିଛି ଯେ, ଘଟଣା ସମୟରେ ଘରେ କେହି ବି ଉପସ୍ଥିତ ନ ଥିଲେ। ନିଆଁ କିପରି ଆରମ୍ଭ ହେଲା ସେଥିପାଇଁ ସିସିଟିଭି ଫୁଟେଜ ସ୍କାନ କରାଯାଇଥିଲା। ଏଥିରେ କୁକୁରର କାରନାମା ସାମ୍ନାକୁ ଆସିଥିଲା।
ତେବେ ଖୁସିର କଥା କୁକୁରଟି ନିଆଁ ଲଗାଇ ସେଠାରୁ ଚାଲି ଯାଇଥିଲା। ଫଳରେ ତା’ର କୌଣସି କ୍ଷତି ଘଟିନାହିଁ। ତେବେ ଏହି ଘଟଣାରେ ଘରର କିଛି ଅଂଶ ନଷ୍ଟ ହୋଇଯାଇଛି।