କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଲାବ୍ରାଡର କୁକୁରର ଡିଏନ୍‌ଏ ଟେଷ୍ଟ କରାଯାଇଛି। ଏହି ମାମଲା ଆଇନଗତ ଫ୍ରେମ୍‌ରେ ପହଞ୍ଚିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅନେକ କାରଣ ଖୋଜିବା ପରେ ମଧ୍ୟ ପ୍ରକୃତ ମାଲିକଙ୍କ ପରିଚୟ ମିଳିଲା ନାହିଁ। ଫଳରେ ବାଧ୍ୟ ହୋଇ କୁକୁରର ଡିଏନ୍‌ଏ ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛି ପୋଲିସ।


୩ ବର୍ଷର ଲାବ୍ରାଡର କୁକୁରକୁ ଶାଦବ ଖାନ ନାମକ ଜଣେ ବ୍ୟକ୍ତି ତାଙ୍କର ବୋଲି କହି ଦାବି କରୁଛନ୍ତି। କିନ୍ତୁ କ୍ରିତିକ୍‌ ଶିଭରେ କହିଛନ୍ତି ଯେ, ଏହା ତାଙ୍କ କୁକୁର ‘ଟାଇଗର’। ଶାଦବ କହିଛନ୍ତି ଯେ, ପ୍ରାୟ ୩ ମାସ ପୂର୍ବେ ତାଙ୍କ କୁକୁର ‘କୋକୋ’ ହଜିଯାଇଥିଲା ଯାହାର ସୂଚନା ସେ ଅଗଷ୍ଟରେ ଗ୍ରାମାଞ୍ଚଳ ଥାନାରେ କରିଥିଲେ। ନଭେମ୍ବର ୧୮ରେ ଶାଦବ ମାଲକେଡିରେ ଏକ କୁକୁର ଥିବା ସୂଚନା ପାଇବା ପରେ କ୍ରିତିକ୍‌ଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୋଲିସ ଡାକିବାକୁ ପଡ଼ିଥିଲା।

ଏହାର ଗୋଟିଏ ଦିନ ପରେ ଶାଦବ କିଛି ଫଟୋ ଏବଂ ଡକ୍ୟୁମେଣ୍ଟ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କ୍ରିତିକ୍‌ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷର ନେତା ଅଟନ୍ତି। ସେ ମଧ୍ୟ ପୋଲିସ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଉଭୟଙ୍କ ଦାବିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ପୋଲିସ। ଶେଷରେ କୁକୁରର ଡିଏନ୍‌ଏ ଟେଷ୍ଟ ପାଇଁ କହିଥିଲା। ତେଣୁ ରିପୋର୍ଟ ଆସିବା ପରେ ପ୍ରକୃତ ମାଲିକ ଚିହ୍ନଟ ହେଲେ ତାଙ୍କ ନିକଟକୁ ପଠାଯିବ ବୋଲି ଦାୟିତ୍ୱରେ ଥିବା ଥାନାଧିକାରୀ ହେମନ୍ତ ଶ୍ରୀବାସ୍ତବ କହିଛନ୍ତି।

Share