Advertisement

ବଇଣ୍ଡାରେ ପୁଣି ଭାଙ୍ଗିଲା ଡ୍ରେନ

ବଇଣ୍ଡା,୧୬।୧୦(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍‌ ଗୁଡିକ ଅତି ନିମ୍ନମାନର ହେଉଥିବା ଯୋଗୁ ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଉଛି। ଫଳରେ ଉକ୍ତ ଡ୍ରେନ୍‌ ଗୁଡିକର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାମ କରୁଥିବା ଠିକାସଂସ୍ଥା ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହି କାମ ଗୁଡିକ ଅତି ନିମ୍ନମାନର ହେଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଶନିବାର ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବଇଣ୍ଡା ଅଞ୍ଚଳରେ ଚାଲୁଥିବାବେଳେ ଉଭୟ ପାର୍ଶ୍ୱରେ ୫୦ ପ୍ରତିଶତ ଡ୍ରେନ୍‌ କାମ ଶେଷ ହୋଇଛି। ହେଲେ ସେ ଗୁଡିକ ଅତି ନିମ୍ନମାନର ହେଉଥିବା ଯୋଗୁ ଏବେ ଗୋଟିଏ ପରେ ଗୋଟିଏ ସ୍ଥାନରୁ ଭାଙ୍ଗିବାକୁ ଲାଗିଛି। ଶୁକ୍ରବାର ପୁଣି ଅନୁଗୋଳ ସଂଯୁକ୍ତ ବ୍ୟାଙ୍କ ବଇଣ୍ଡା ଶାଖା ନିକଟ ଡ୍ରେନ ଭାଙ୍ଗିଯାଇଛି। ବିଶେଷ କରି ଆବଶ୍ୟକ ପରିମାଣର ରଡ୍‌ ଲଗାଯାଉ ନ ଥିବାରୁ ଡ୍ରେନ ଗୁଡିକ ଭାଙ୍ଗିବାକୁ ବସିଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ତଳେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଡ୍ରେନର ଛାତ ଭୁଶୁଡି ପଡିଥିବାବେଳେ ଠିକାସଂସ୍ଥା ପକ୍ଷରୁ ମରାମତି କରା ନ ଯାଇ ବିପଦ ଫଳକ ମାରି ଦିଆଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଡ୍ରେନ୍‌ ଭାଙ୍ଗି ଯାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି, କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ୪ ଲେନ ରାସ୍ତା କାମ ବଇଣ୍ଡା ଅଞ୍ଚଳରେ କରାଯାଉଛି। ବହୁ ବିଳମ୍ବରେ କାମ ଚାଲୁଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ ସମାପ୍ତ ହୋଇନାହିଁ। ବିଶେଷ କରି ବଇଣ୍ଡା ଅଞ୍ଚଳରେ ନିର୍ମାଣ ହୋଇଥିବା ଡ୍ରେନ ଗୁଡିକରେ ଆବଶ୍ୟକ ପରିମାଣର ରଡ୍‌ ଲଗାଯାଉ ନାହିଁ। ବିଳମ୍ବିତ ରାତିରେ ଏହି କାମ ଗୁଡିକ କରାଯାଉଥିବାବେଳେ ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ରହୁ ନ ଥିବା ଯୋଗୁ ଠିକାସଂସ୍ଥା ଅତି ନିମ୍ନମାନର କାମ କରୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ବରୁ ବଇଣ୍ଡା ଗ୍ରାମବାସୀ ବହୁବାର ଠିକାସଂସ୍ଥାଠାରୁ ଆରମ୍ଭ କରି ଜିଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଠିକାସଂସ୍ଥାର ପରିଚାଳକ ଜିତେନ୍ଦ୍ର ବେହେରାଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share