ଅଧାରେ ଅଟକିଛି ଡ୍ରେନ୍‌, ପାଚେରି ନିର୍ମାଣ

ଖଇରା, ୧୯।୫(ଡି.ଏନ.ଏ.): ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ଡ୍ରେନ ଓ ପାଚେରି ନିର୍ମାଣ କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡି ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରାଯିବାକୁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ମାଝି, ପ୍ରାକ୍ତନ ନାଏବ ସରପଞ୍ଚ ମଧୁସୂଦନ ଦାସ, ବୁଦ୍ଧିରାମ ଦାସ, ତରାପୁର ଗ୍ରାମର ସରସ୍ବତୀ ପରିଡା, ଅଲିପୁର ଗ୍ରାମର ସୌରଭ ପୃଷ୍ଟି, ସଞ୍ଜୟ ପ୍ରକାଶ ଦାସ ଓ ଜୟନ୍ତ ପାତ୍ର ପ୍ରମୁଖ ଦାବି କରିଛନ୍ତି। ଅଲିପୁରଠାରେ ଡ୍ରେନ କାମ ସରିଥିଲେ ହେଁ ଏହା ଉପରେ ଘୋଡଣି ନ ଥିବାରୁ ଦୈନନ୍ଦିନ ଗୃହପାଳିତ ପ୍ରାଣୀ, ଛୋଟ ପିଲା ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିଭଳି ତୋଟାପଡା ଓ ତରାପୁର ଗ୍ରାମ ନିକଟରେ ରାସ୍ତାକଡ ପାଚେରିକୁ ଅଧାରେ ଛାଡି ଦିଆଯାଇଥିବାରୁ ଆଗାମୀ ବର୍ଷାଋତୁରେ ନୟନଯୋରି ପାଣିରେ ରାସ୍ତା ଧୋଇଯିବାର ଆଶଙ୍କା ଦେଖାଦେଇଛି। ଏହାଛଡା କରାଣ୍ଡିଆ ନାଳ କଡରେ ନିର୍ମିତ ହୋଇଥିବା ପାଚେରିକୁ ଆଗାମୀ ବନ୍ୟାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଉଚ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପତିରାଜପୁରର ଜଣେ ଶିକ୍ଷୟିତ୍ରୀ ସରକାରୀ ଜାଗାରେ ବାଡ ବସାଇଥିବା ବେଳେ ଏହା ରାସ୍ତା ପ୍ରଶସ୍ତୀକରଣରେ ବାଧକ ସାଜିଛି ା ତୁରନ୍ତ ରାସ୍ତାକୁ ଜବରଦଖଲମୁକ୍ତ କରିବାକୁ ଉକ୍ତ ଗ୍ରାମର ହରେକୃଷ୍ଣ ସାମଲ, ମାନସ କୁମାର ପଣ୍ଡା ଓ ଗୋବିନ୍ଦ ପରିଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ଯୋଗାଯୋଗ କରିବାରେ ଯଦି ମାପରେ ଶିକ୍ଷୟିତ୍ରୀ ଜଣକ ସରକାରୀ ଜାଗା ଜବରଦଖଲ କରିଥିବା ଜଣାପଡେ ତେବେ ଏହାକୁ ନିଶ୍ଚୟ ଏହାକୁ ଖାଲି କରାଯିବ। ସେହିଭଳି ଅଲିପୁରଠାରେ ଅସମ୍ପୂର୍ଣ୍ଣ ଡ୍ରେନ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରୀତିରଞ୍ଜନ ସାମଲଙ୍କୁ ଯୋଗାଯୋଗ କରିବାରେ ଘୋଡଣି ବ୍ୟବସ୍ଥା ସମ୍ପର୍କରେ ଠିକାଦାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।