ଜବରଦଖଲ ଉଚ୍ଛେଦରେ ପୋତି ହୋଇଗଲା ଡ୍ରେନ, ଘରେ ପଶିଲା ପାଣି

ବଲାଙ୍ଗୀର ଅଫିସ, ୬ା୮:  ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାକଡର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଥିଲା। ଜେସିବି ମେଶିନ୍‌ ଲଗାଇ ବିଭିନ୍ନ ଜବରଦଖଲକାରୀଙ୍କ ଘର, ପାଚେରୀ, ଦୋକାନ ଘର ଭଙ୍ଗାଯାଇଥିଲା। ଜବରଦଖଲ ଉଚ୍ଛେଦ ବେଳେ ରାସ୍ତାକଡରେ ଥିବା ଡ୍ରେନ୍‌ ପୋତି ହୋଇଯାଇଥିଲା ଏହି ଡ୍ରେନ୍‌ରୁ ଭଗ୍ନାବଶେଷ ସଫା କରାଯାଇ ନ ଥିଲା। ବୁଧବାର ପ୍ରବଳ ବର୍ଷା ହେବା ପରେ ପାଣି ନିଷ୍କାସନ ହୋଇ ନ ପାରି ବିଭିନ୍ନ ଲୋକଙ୍କ ଘରେ ପଶି ଯାଇଥିଲା। ପ୍ରତାପ ସାଗର ପଡାରେ କିଛି ଦିନ ପୂର୍ବରୁ ଏଭଳି ଜବରଦଖଲ ଉଚ୍ଛେଦ ହୋଇଥିଲା। ଭଗ୍ନାବଶେଷ ଉଠା ଯାଇ ନ ଥିବାରୁ ଏହି ପଡାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷାଦିନରେ ମ୍ୟୁନିସିପାଲିଟିର ଅପରିମାଣଦର୍ଶିତା ଓ ଅବହେଳା ଯୋଗୁଁ ସେମାନେ କଷ୍ଟ ଭୋଗିଥିବା ପଡାର ଚିତ୍ତରଞ୍ଜନ ଦାସ ଅଭିଯୋଗ କରିଛନ୍ତି। ଏ ନେଇ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି। ତୁରନ୍ତ ଭଗ୍ନାବଶେଷ ସଫା କରା ନ ଗଲେ ସେମାନେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବେ ବୋଲି କହିଛନ୍ତି। ଅନ୍ୟ କେତେକ ପଡାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍‌ ପାଣି ଘର ଭିତରକୁ ପଶି ଯାଇଥିବା ଓ ସେମାନଙ୍କ ବହୁ ଜିନିଷପତ୍ର ନଷ୍ଟ ହୋଇଥିବା ଜଣାଇଛନ୍ତି।