ସଫେଇ ହେଉନି ଡ୍ରେନ୍‌, ରାସ୍ତାରେ ଜମୁଛି ପାଣି

ଜଟଣୀ,୮ା୫(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳରେ ଡ୍ରେନ୍‌ ସଫେଇ ନ ହେବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ଅସରାଏ ବର୍ଷା ହେଲେ ସହରର ସାହିବସ୍ତିରୁ ଆରମ୍ଭକରି ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହୁଛି। ଗତ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ଖୋର୍ଦ୍ଧା ଓ ପିପିଲିକୁ ସଂଯୋଗ କରୁଥିବା ହରିଭାଇନା ଛକସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଡ୍ରେନ୍‌ ସଫେଇ ନ ହେବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଯେ, ସରକାର ପରିମଳ ବ୍ୟବସ୍ଥା ଓ ଗମନାଗମନ ସୁବିଧା ପାଇଁ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପରିମଳ ଓ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜଟଣୀ ପୌର ପ୍ରଶାସନ ରାଜ୍ୟରେ କେବେ ଏକ ନମ୍ବର କେବେ ଦୁଇ ନମ୍ବର ଆଖ୍ୟା ପାଇଥିବା ବେଳେ ଏବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଠିକ୍‌ଭାବେ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସାହିବସ୍ତିରେ ଥିବା ଡ୍ରେନ ସଫେଇ ହେଉନାହିଁ। ଫଳରେ ଦୁର୍ଗନ୍ଧ ହେବା ସହିତ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନ୍ୟପଟେ କେବେଳ ବର୍ଷା ଋତୁ ଆସିବା ପୂର୍ବରୁ ଲୋକଦେଖାଣିଆ ଭାବେ ସହର ମଧ୍ୟରେ ଥିବା କେତେକ ସ୍ଥାନରେ ଡ୍ରେନ୍‌ ସଫେଇ କରାଯାଇ ଫଟୋ ଉଠାଇ ପ୍ରଚାର କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କୁହନ୍ତି, ଜଟଣୀ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଡ୍ରେନ ଆର୍‌ ଆଣ୍ଡ ବି ଅଧୀନରେ ରହିଛି। ଏହାର ରକ୍ଷଣାବେକ୍ଷଣ ଓ ପରିମଳ ବ୍ୟବସ୍ଥା ପାଇଁ ପୌର ପରିଷଦକୁ ଉକ୍ତ ବିଭାଗ ପକ୍ଷରୁ ଅନୁମତି ଏଯାବତ୍‌ ମିଳିନାହିଁ। ତେଣୁ ପୌର ପ୍ରଶାସନ ନିରୁପାୟ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଆର୍‌ ଆଣ୍ଡ ବି ସହିତ ମିଳିତଭାବେ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Share