ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା ଗ୍ରାମର ପ୍ରଭାକର ରାଉଳ। ମାଟ୍ରିକ ପାସ୍ କରି ଯୁକ୍ତ ୨ ପଢ଼ିବା ବେଳେ ହଠାତ୍ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ଚଲାବୁଲା କରିବା ତ ଦୂରର କଥା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଷୁରି ଘୁଷୁରି ଯିବାକୁ ପଡ଼ିଲା। ମାତ୍ର ଜୀବନ ଯୁଦ୍ଧରେ ସେ କେବେ ହାରି ଯାଇନାହାନ୍ତି। ବୁଢ଼ା ମା’ ବାପାଙ୍କ ଉପରେ ବୋଝ ନ ହୋଇ ପରିବାର ପ୍ରତିପୋଷଣ ପାଇଁ ଏକ ପାନ ଦୋକାନ କରିଛନ୍ତି। ଯେତିକି ରୋଜଗାର ହେଉଛି କଷ୍ଟେମଷ୍ଟେ ନିଜ ପେଟ ପୋଷିବା ସହ ମା’ ବାପାଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଯାହା ଆଜିର ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।
ଜିଲା ସିଂଲା ଗ୍ରାମର ବାସିନ୍ଦା ପ୍ରଭାକର ରାଉଳ। ବାପା ପୂର୍ଣ୍ଣଚନ୍ଦ୍ରଙ୍କ ତିନି ପୁଅଙ୍କ ମଧ୍ୟରୁ ପ୍ରଭାକର ମଝିଆ। ପିଲାଟି ଦିନରୁ ସେ ମେଧାବୀ ଥିଲେ। ପରିବାରର ଆର୍ଥତ୍କ ସମ୍ବଳ ନ ଥିବା ସତ୍ତ୍ୱେ ଭୋକ ଉପାସରେ ରହି ମାଟ୍ରିକ ପାସ୍ କରିବା ପରେ ଜାମଶୂଳି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଯୁକ୍ତ ୨ରେ ଆଡମିଶନ ହୋଇଥିଲେ। ମାତ୍ର କଲେଜ ଯିବାର କିଛି ଦିନ ପରେ ଦୁଇଟି ଗୋଡ଼ ଧୀରେ ଧୀରେ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ପରିବାରର ଆର୍ଥତ୍କ ସମ୍ବଳ ନ ଥିବାରୁ ଚିକିତ୍ସା ମଧ୍ୟ ହୋଇପାରିଲେନି ପ୍ରଭାକର। ବହୁ କଷ୍ଟରେ ଯୁକ୍ତ ୨ ପାସ୍ କରିବା ପରେ ପାଠ ପଢ଼ାରେ ଡୋରି ବନ୍ଧା ହେଲା। ପାଠ ପଢ଼ି ଚାକିରି କରିବା ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା। ସାରା ଜୀବନ ମା’ ବାପାଙ୍କ ଉପରେ ବୋଝ ନ ହୋଇ କଣ କରିବେ ଭାବି ଭାବି ଶେଷରେ ଗଁାର ପିଲାଙ୍କୁ ଟ୍ୟୁଶନ କରି ଯାହା ଅଳ୍ପ କିଛି ଅର୍ଥ ସଞ୍ଚୟ ହେଲା ସେହି ଅର୍ଥରେ ଘର ପାଖରେ ଛୋଟିଆ ପାନ ଦୋକାନ କରିଛନ୍ତି। ଘରଠାରୁ ଦୋକାନ ପର୍ଯ୍ୟନ୍ତ ଯିବା ପାଇଁ କେତେବେଳେ ସାନ ଭାଇ କାନ୍ଧରେ ବୋହି ନେଇଯାନ୍ତି ତ କେତେବେଳେ ନିଜେ ଘୁଷୁରି କଷ୍ଟରେ ଯାଇଥାନ୍ତି। ଏତିକିରେ ପ୍ରଭାକରଙ୍କ ଦୁଃଖ ସରିଲାନି ଯେ ବୋଝ ଉପରେ ନଳିତା ବିଡ଼ା ପଡ଼ିଲା ଭଳି ବାପା ପୂର୍ଣ୍ଣଚନ୍ଦ୍ର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ। ପ୍ରଭାକରଙ୍କ ସ୍ବଳ୍ପ ରୋଜଗାରରେ ପରିବାର ଲୋକେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ମାତ୍ର ରହିବା ପାଇଁ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଦଦରା ପଲିଥିନ୍ ଘୋଡ଼ା ହୋଇଥିବା ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ପ୍ରଭାକରଙ୍କ ପାଇଁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ, ରହିବା ପାଇଁ ଆବାସ ଯୋଜନାରେ ପକ୍କାଘର ଏବଂ ବ୍ୟାଟେରି ଚାଳିତ ସାଇକେଲ ପାଇଁ ବାରମ୍ବାର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କେବଳ ଭିନ୍ନକ୍ଷମ ଭତ୍ତା ବ୍ୟତୀତ କୌଣସି ସରକାରୀ ସହାୟତା ତାଙ୍କୁ ମିଳିନି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।